ବିଦ୍ୟାଳୟକୁ ଆସୁ ନାହାନ୍ତି ଶିକ୍ଷକ,ଶିକ୍ଷୟିତ୍ରୀ ସିଆରସିସିଙ୍କ ତଦାରଖ ଦାୟିତ୍ୱକୁ ନେଇ ସନ୍ଦେହ

ନାଉଗାଁ, (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକୁ ନିର୍ଦ୍ଧାରିତ ସମୟରେ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିବାକୁ ସମୟ ନିର୍ଘଂଟ କରାଯାଇଛି। କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ମନଇଚ୍ଛା ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶନିବାର ଗଜରାଜପୁର ପଂଚାୟତର ଗୋପଳଜୀୟୁ ଆଂଚଳିକ ସାଧନା କେନ୍ଦ୍ରସ୍ଥିତ ଗୋପାଳ ଜୀୟୁ ଉ.ପ୍ରା ବିଦ୍ୟାଳୟରେ। ଶନିବାର ସକାଳ ବିଦ୍ୟାଳୟ ହୋଇଥିବା ବେଳେ ସାଢେ ୬ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ ବିଦ୍ୟାଳୟର ସମୟ ନିର୍ଘଂଟ କରାଯାଇଛି। ଏହି ସମୟ ମଧ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ପିଲାମାନେ ଉପସ୍ଥିତ ରହିବେ। କିନ୍ତୁ ଉକ୍ତ ବିଦ୍ୟାଳୟରେ ଉକ୍ତ ଦିନ ୭ ଟା ୪୫ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପ୍ରଧାନଙ୍କ ବ୍ୟତିତ ଅନ୍ୟ ୨ଶିକ୍ଷୟତ୍ରୀ ଅନୁପସ୍ଥିତ ଥିଲେ। ଅନ୍ୟ ୨ଶିକ୍ଷୟିତ୍ରୀଙ୍କ ବିଷୟରେ ପଚାରିବାରୁ ସେମାନେ ଜଗତସିଂହପୁରରୁ ଆସିବେ ବର୍ଷା ଯୋଗୁ ଆସିପାରି ନାହାନ୍ତି। ଫୋନ ଯୋଗେ ବିଳମ୍ବରେ ଆସିବେ ବୋଲି କହିଥିବା ପ୍ରଧାନ ଶିକ୍ଷକ ପ୍ରଧାନ ମତବ୍ୟକ୍ତ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଦ୍ୟାଳୟରେ ୬ଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୨ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ରହିଛନ୍ତି। ସେଥିରୁ ୨ଜଣ ଶିକ୍ଷକ ନିର୍ଦ୍ଦାରିତ ସମୟରେ ଆସି ନଥିବା ବେଳେ ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ସେହିପରି ବିଦ୍ୟାଳୟ ଗୁଡିକୁ ତଦାରଖ କରିବା ପାଇଁ କ୍ଳଷ୍ଟରସ୍ତରରେ ସିଆରସିସି,ବ୍ଳକ ଶିକ୍ଷାଧିକାରୀ ରହିଥିବା ବେଳେ ଅନେକ ସିଆରସିସି ସଠିକ୍ ଭାବେ ବିଦ୍ୟାଳୟ ତଦାରଖ କରୁ ନଥିବା ଜଣାଯାଇଛି। ଯାହାକି ସେମାନଙ୍କ ତଦାରଖ ଦାୟିତ୍ୱକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ସେହିପରି କେତେକ ସିଆରସିସି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବସୁଥିବା ବେଳେ ବିଦ୍ୟାଳୟ ପରିଦର୍ଶନରେ ଯାଉ ନଥିବା ଜଣାଯାଇଛି। ଯାହାଫଳରେ ଶିକ୍ଷକମାନେ ମନଇଚ୍ଛା ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗଙ୍କ ନିର୍ଦ୍ଦେଶାନୁସାରେ ଯେଉଁ ସରକାରୀ କର୍ମଚାରୀ କାର୍ଯ୍ୟସ୍ଥଳରୁ ୮ କି.ମି ଦୂରତା ମଧ୍ୟରେ ରହୁଛନ୍ତି। ସେମାନଙ୍କୁ ଘର ଭଡା ବାବଦକୁ ଅର୍ଥ ପ୍ରଦାନ କରାଯାଉଛି। ଗୋଟିଏ ପଟେ ଘର ଭଡା ପାଉଥିବା ବେଳେ ଅନ୍ୟପଟରେ ଶିକ୍ଷକମାନେ ବିଦ୍ୟାଳୟ ନିକଟରେ ନ ରହି ନିଜ ଘରୁ କିମ୍ବା ତାଙ୍କ ସୁବିଧାରେ ଯିବା ଆସିବା କରୁଛନ୍ତି। ଏପରିକି ଅନେକ ସମୟରେ ବିଦ୍ୟାଳୟରେ ଶିକ୍ଷକମାନେ ଅନୁପସ୍ଥିତ ରହିବାକୁ ଥିଲେ ଆକସ୍ମିକ ଛୁଟି(ସିଏଲ) ଦରଖାସ୍ତ ପ୍ରଧାନ ଶିକ୍ଷକଙ୍କୁ ଦେଉଛନ୍ତି। ହେଲେ ଉକ୍ତ ପ୍ରଧାନ ଶିକ୍ଷକମାନେ ଉପସ୍ଥାନ ଖାତାରେ ଆକସ୍ମିକ ଛୁଟି(ସିଏଲ) ନ ପକାଇ ପରବର୍ତୀ ଦିନରେ ଉପସ୍ଥାନରେ ଉପସ୍ଥିତ ଥିବା ଦର୍ଶାଯାଉଥିବା ଚର୍ଚ୍ଚା ହେଉଛି। ଶିକ୍ଷକମାନଙ୍କର ମନଇଛା କାର୍ଯ୍ୟକୁ ନେଇ ଛାତ୍ରଛାତ୍ରୀମାନଙ୍କ ପାଠପଢା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି। ଏବିଷୟରେ ବ୍ଳକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ବଡପଣ୍ଡାଙ୍କୁ ପଚାରିବାରୁ ସେ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିବେ,ଏହା ଉପରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ