ମୁହଁରେ କଳାପଟି ବାନ୍ଧି ଶିକ୍ଷକଙ୍କ ପ୍ରତିବାଦ, ଓଟିଇଟି ବାଧ୍ୟତାମୂଳକକୁ ବିରୋଧ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାରେ ପଦୋନ୍ନତିରୁ ବଞ୍ଚିତ ବରିଷ୍ଠ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବା ସହ ଆନ୍ଦୋଳନ ଦାନା ବାନ୍ଧୁଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କ ସମାଜକୁ ପଦୋନ୍ନତିରୁ ବଞ୍ଚିତ କରିବା କେତେଦୂର ଆଇନ ସମ୍ମତ ତା ଉପରେ ପ୍ରଶ୍ନ ଉଠିଛି । ଅଭିଯୋଗ  ଅନୁଯାୟୀ ଭାରତ ବର୍ଷରେ ଗତ ୨୦୦୯ ମସିହାରେ ଆର.ଟି.ଇ  ତଥା ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର ଆଇନ ପ୍ରଚଳନ କରାଗଲା ଓ ରାଜ୍ୟ ସରକାର ୨୦୧୧ ମସିହାରେ ସେହି ଆଇନ ଲାଗୁ କରିଥିଲେ । ୨୦୧୧ ରେ ଶିକ୍ଷା ଅଧିକାର ଆଇନ ଲାଗୁ ପରେ ୨୦୧୨ରେ ବିଜ୍ଞାପନ ଜାରିକରି ଯେଉଁ ଶିକ୍ଷକମାନେ ନିଯୁକ୍ତି ହେବେ ସେମାନେ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ (ଟିଇଟି )  ଉତ୍କର୍ଷ ହେବା ଆବଶ୍ୟକ । ସେହି ସମୟରେ ଜିଲ୍ଲା ପରିଷଦ ଶିକ୍ଷକ ଓ ଶିକ୍ଷା ସହାୟକ ନାମରେ ଶିକ୍ଷକ ପଦବୀ ପୂରଣ କରାଗଲା । ମାତ୍ର ୨୦୧୧ ଫେବ୍ରୁୟାରୀ ମାସ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ଉପରେ ଏହି ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ୨୦୧୯ ମସିହାରେ ଓଡିଶା ଗେଜେଟ୍ ରେ ଉଲ୍ଲଖ ହୋଇଛି । ୨୦୧୧ ଓ ୨୦୧୯ ପରେ ବର୍ତମାନ ପର୍ଯ୍ୟନ୍ତ ଓଡିଶା ସରକାର ଗୋଟିଏ ହେଲେ ସ୍ପଷ୍ଟ ନିର୍ଦେଶନାମା ଜାରି କରି ନାହାଁନ୍ତି ଯେ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ବରିଷ୍ଠ ଶିକ୍ଷକମାନେ ଶିକ୍ଷକ ଯୋଗ୍ୟତା ପରୀକ୍ଷା  ବା (ଓଟିଇଟି ) ଦେବା ପାଇଁ ବାଧ୍ୟ । ବିଗତ ୨୦୨୩ ମସିହାରେ ସାରା ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ବିନା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପଦୋନ୍ନତି ଦେଇଥିବାରୁ ୧୭ଟି ଜିଲ୍ଲା ଉଚ୍ଚନ୍ୟାୟାଲୟରେ କେସ୍ ହୋଇ ପଦୋନ୍ନତି ସ୍ଥଗିତ ହୋଇଯାଇଥିଲା । ଯେଉଁମାନେ ଯୋଗ୍ୟ ବିବେଚିତ ଥିଲେ ସେଥ୍‌ରୁ ବଞ୍ଚିତ ହୋଇଥିଲେ । ପଦୋନ୍ନତିରୁ ବାଦ ପଡିଥିବା ୧୭ଟି ଜିଲ୍ଲା ମଧ୍ୟରୁ କେନ୍ଦୁଝର ଜିଲ୍ଲାରେ ପଦୋନ୍ନତି ହୋଇପାରିନଥିଲା । ପୂର୍ବ ସରକାରର ଟାଳଟୁକୁ ନୀତି ଯୋଗୁଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଡିଶା ଭୁବନେଶ୍ବର ଓଟିଇଟିକୁ ମୂଳ ଆଧାରକରି ପଦୋନ୍ନତି ହୋଇଥିବାରୁ ବହୁ ବରିଷ୍ଠ ଶିକ୍ଷକ ଏଥୁରୁ ବାଦ ପଡି ଡିଛନ୍ତି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଡିଶା ଭୁବନେଶ୍ବରଙ୍କର ସେପରି କୌଣସି ଚିଠି ପ୍ରକାଶିତ ହୋଇ ନାହିଁ ଯେ କେବଳ ଓଟିଇଟି (O.T.E.T) ପ୍ରାପ୍ତ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯିବ । କିନ୍ତୁ ଦୁଃଖର ବିଷୟ ଏହିକି କେନ୍ଦୁଝର ଜିଲ୍ଲାର ପଦୋନ୍ନତି କମିଟି ଚୂଡାନ୍ତ ପଦୋନ୍ନତି ତାଲିକାରେ ସ୍ଥାନ ପାଇଥିବା ବରିଷ୍ଠ ଅଣ ଓ.ଟି.ଇ.ଟି ଶିକ୍ଷକ ମାନଙ୍କୁ ବାଦ ଦେଇ ଓ.ଟି.ଇ.ଟି ପ୍ରାପ୍ତ ଶିକ୍ଷକମାନଙ୍କୁ ପଦୋନ୍ନତି କରିବା  ପାଇଁ ଅନୁମୋଦନ କରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଡିଶା ଭୁବନେଶ୍ବର ନିକଟକୁ ପଠାଇ ଅନୁମୋଦନ ପ୍ରାପ୍ତ କରାଇ ଥିଲେ । ଏଥିରେ ଓଡିଶା ସରକାରଙ୍କ ଦ୍ବାରା ୨୦୧୯ କ୍ୟାଡର ରୁଲ୍ କୁ ଅଣଦେଖାକରି ମନୋମୁଖି ଭାବେ ବରିଷ୍ଠ ମାନଙ୍କୁ ଉପେକ୍ଷା କରି ଜିଲ୍ଲା ପଦୋନ୍ନତି କମିଟି କିପରି ଅନୁମୋଦନ କଲେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ବିରୋଧ କରି କେନ୍ଦୁଝର ଜିଲ୍ଲାର ଶ୍ରୀକାନ୍ତ ବିଶ୍ବାଳ, ରବୀନ୍ଦ୍ର କୁମାର ଦାସ , ରଞ୍ଜନ କୁମାର ପ୍ରଧାନ, ରଞ୍ଜିତ ପାତ୍ର, ଗୋବଦ୍ଧନ ପାତ୍ର, ପ୍ରଦୀପ କୁମାର ନାୟକ,ଗୋପୀ ସାହୁଙ୍କ ସମେତ ଓ ଶତାଧିକ ଅଣ ଓଟିଇଟି ଶିକ୍ଷକ ଶିକ୍ଷୟତ୍ରୀ ସରକାରଙ୍କ କଳା ଆଇନର ପ୍ରତିବାଦ ସ୍ବରୂପ କଳାପଟି ବାନ୍ଧି ହାତରେ ଦାବିପତ୍ର ଧରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ସେହିଭଳି ରାଜ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କୁ ମଧ୍ୟ ଦାବିପତ୍ର ପ୍ରେରଣ କରାଯାଇଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ୨୦୨୮ ମସିହା ଅଗଷ୍ଟମାସ ପର୍ଯ୍ୟନ୍ତ ଓଟିଇଟି ଉତିର୍ଣ୍ଣ ନିମନ୍ତେ ସମୟ ଦେଇଥିବା ବେଳେ ସମସ୍ତ ବରିଷ୍ଠ ଶିକ୍ଷକ ସତ୍ୟପାଠ ଦାଖଲ କରିବା ସହ ପଦୋନ୍ନତି ପାଇବାରେ ଅସୁବିଧା କେଉଁଠି ବୋଲି ସେମାନେ ଅଭିଯୋଗ କରିଛନ୍ତି।  ତେବେ ସରକାର ଓ କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗର ପାତର ଅନ୍ତର ନୀତି ବରିଷ୍ଠ ଶିକ୍ଷକ ପଦୋନ୍ନତିରେ ବାଧକ ସାଜିଛି ବୋଲି ଅଭିଯୋଗ କରି ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରରୂପ ଧାରଣ କରିବ ବୋଲି ସେମାନେ  ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ