କଟକ ନାଟ୍ୟୋତ୍ସବ ୨୦୨୫ ଅନ୍ତିମ ପର୍ଯ୍ୟାୟ ଉଦଘାଟିତ

କଟକ,(ଓ୍ବାଇଏନଏସ): ନାଟ୍ୟ ସଂସ୍କୃତିର ପୁନଃରୁଦ୍ଧାର ଲକ୍ଷ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି କଟକ ନାଟ୍ୟୋତ୍ସବ ୨୦୨୫। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ନାଟ୍ୟୋତ୍ସବ ଅନ୍ତିମ ପର୍ଯ୍ୟାୟକୁ ଉଦଘାଟନ କରି କହିଛନ୍ତି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପରିସ୍ଫୁଟ କରିବାର ମଞ୍ଚ ହେଉଛି କଟକ ନାଟ୍ୟୋତ୍ସବ। ଏହି ମହୋତ୍ସବରୁ ହିଁ ଆଗାମୀ ପିଢ଼ିର କଳାକାର, ନିର୍ଦ୍ଦେଶକ, ସଂଗୀତକାର, ସଂଳାପ ଲେଖକ ଆଦି ସୃଷ୍ଟି ହେବେ।  ଚାରିଦିନ ଧରି ଚାଲିବାକୁ ଥିବା ଏହି ନାଟ୍ୟୋତ୍ସବର ବିଭିନ୍ନ ଦିବସରେ ଚୟନ ପର୍ଯ୍ୟାୟରୁ ମନୋନୀତ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ୧୧ଟି ନାଟକ ପ୍ରଦର୍ଶିତ ହେଉଛି। ଆଜି ଉଦଘାଟନୀ ଦିବସରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆଧୁନିକତା ଓ ପୁରାତନ ମଧ୍ୟରେ ସମନ୍ଵୟ ରଖି ଆଗକୁ ବଢିବାର ଧାରାକୁ ନେଇ ପରିବେଷଣ କରିଥିଲେ ନାଟକ “ସକାଳର ଅପେକ୍ଷାରେ” ଏବଂ ରାଧାନାଥ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନସଡ ଷ୍ଟଡି ଇନ ଏଜୁକେସନର ଛାତ୍ରଛାତ୍ରୀ “ଶକ୍ତିଶ୍ରୀ” ନାଟକ ମାଧ୍ୟମରେ ସମାଜରେ ନାରୀ ଉପରେ ହେଉଥିବା ଅତ୍ୟାଚାର ଓ କଷଣର କାହାଣୀ ବଖାଣିଥିଲେ। ଅନ୍ତିମ ପର୍ଯ୍ୟାୟ ବିଚାରକ ମଣ୍ଡଳୀରେ ଅଛନ୍ତି ବରିଷ୍ଠ ଅଭିନେତା ଡଃ ଅନଙ୍ଗ ଦ୍ବିବେଦୀ, ବରିଷ୍ଠ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଖଟୁଆ, ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ, ବରିଷ୍ଠ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହରିଶ ମହାନ୍ତି ଓ ବିଶିଷ୍ଟ ନାଟ୍ୟକାର ଡଃ ବୈଜୟନ୍ତୀ ମିଶ୍ର ପ୍ରମୁଖ। ଆଜିର ଉଦଘାଟନୀ ସମାରୋହରେ ଅତରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲାସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଓ ଚୟନ ପର୍ଯ୍ୟାୟର ସମସ୍ତ ନାଟ୍ୟ ବିଶେଷଜ୍ଞ ସର୍ବଶ୍ରୀ ଶ୍ରୀକାନ୍ତ ଚୌଧୁରୀ, ଉମେଶ ଦାସ, ଦେବୁ ପଟନାୟକ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍‌, ବବି ଇସଲାମ ଓ ସନ୍ଦୀପ ପାଣି ଯୋଗ ଦେଇଥିଲେ। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନାଟ୍ୟପ୍ରେମୀ ଯୋଗ ଦେଇ ନାଟକ ମହୋତ୍ସବକୁ ଉପଭୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଅକ୍ଟୋବର ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ବବିଦ୍ୟାଳୟର ସେଭେନ ପିଲର୍ସ ଅଫ ଉଇସଡମଠାରେ କଟକ ନାଟ୍ୟୋତ୍ସବ 2025 ଅନୁଷ୍ଠିତ ହେଉଛି । କଳାପ୍ରେମୀମାନେ ବିନା ମୂଲ୍ଯରେ ଏହି ନାଟ୍ୟୋତ୍ସବ ଦେଖିପାରିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ