ବଢୁଛି ଲୋକଙ୍କ ସଂଖ୍ୟା, ବଢୁନି ସରକାରୀ କଲ୍ୟାଣୀ ମଣ୍ଡପ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କାକଟପୁର ବ୍ଲକ ଅଞ୍ଚଳରେ ଆବଶ୍ୟକ ମୁତାବକ ସରକାରୀ କଲ୍ୟାଣୀ ମଣ୍ଡପ ନାହିଁ। ଫଳରେ ବିବାହ, ବ୍ରତ ସମେତ ବିଭିନ୍ନ କାର୍ଯ୍ୟ ପାଇଁ କାକଟପୁର ବ୍ଲକ ଅଞ୍ଚଳବାସୀ ତଥା ଦୂରଦୁରାନ୍ତ ରୁ ଆସି ବସତି ସ୍ଥାପନା କରିଥିବା ବ୍ୟକ୍ତି ବିଶେଷ ବିଭିନ୍ନ କାର୍ଯ୍ୟ ପାଇଁ କାକଟପୁର ସମେତ ବ୍ଲକ ଅଂଚଳରେ ଥିବା ଘରୋଇ କଲ୍ୟାଣୀ ମଣ୍ଡପ ଉପରେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇ ଘରୋଇ କଲ୍ୟାଣୀ ମଣ୍ଡପ କର୍ତ୍ତୃପକ୍ଷ ମନ ଇଚ୍ଛା ଭଡା ନିର୍ଧାରଣ କରୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ସହ ବ୍ଲକ ର ବିଭିନ୍ନ ପଂଚାୟତ ରେ କଳେବର ବୃଦ୍ଧି ପାଇଛି। ସେହି ତୁଳନା ରେ ଲୋକ ସଂଖ୍ୟା ମଧ୍ୟ ବଢିଛି। କିଏ ନିଜ ପିଲାଙ୍କୁ ଶିକ୍ଷାଦାନ ପାଇଁ କାକଟପୁର ରେ ରହୁଛନ୍ତି, କିଏ ଜମି କିଣିବା ସହ ନୂତନ ଗୃହ କରି ବସତି ସ୍ଥାପନା କରିଛନ୍ତି। ମାତ୍ର ସ୍ଥାନୀୟ ଅଞ୍ଚଳବାସୀ ବିବାହ, ବ୍ରତ ତଥା ଅନ୍ୟାନ୍ୟ କର୍ମ କାର୍ଯ୍ୟ ପାଇଁ ବ୍ଲକ ତରଫରୁ ବିଭିନ୍ନ ପଂଚାୟତ ରେ ଆବଶ୍ୟକ ମୁତାବକ କଲ୍ୟାଣୀ ମଣ୍ଡପ ନାହିଁ। ଫଳରେ ଏହି ସବୁ କାମ ପାଇଁ ସେମାନେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ବାଧ୍ୟ ହୋଇ ସେମାନେ କାକଟପୁର ସହ ଆଖପାଖ ଅଂଚଳରେ ଥିବା ବିଭିନ୍ନ ଘରୋଇ କଲ୍ୟାଣୀ ମଣ୍ଡପ ଉପରେ ନିର୍ଭର କରୁଛନ୍ତି। ସେଠାରେ ଭଡାଧାର୍ଯ୍ୟ ଲୋକ ଦେଖି ନିର୍ଣ୍ଣୟ କରିବା ସହ ସମୟ ସୁଯୋଗ ଦେଖି ନିଆଯାଉଛି। ଯାହା ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ପରିବାର ପକ୍ଷେ ବହନ କରିବା କଷ୍ଟକର ପାଲଟିଛି। କୌଣସି ବିକଳ୍ପ ନଥିବାରୁ ସେମାନେ ବାଧ୍ୟ ହୋଇ ବିଭିନ୍ନ କାର୍ଯ୍ୟ ପାଇଁ ଘରୋଇ କଲ୍ୟାଣୀ ମଣ୍ଡପ ଉପରେ ନିର୍ଭର କରୁଛନ୍ତି। ପରୋକ୍ଷରେ ଆର୍ଥିକ ଶୋଷଣ ଶିକାର ହେଉଛନ୍ତି। କାକଟପୁର ହେଉଛି ଜଗତ ଜନନୀ ମା ‘ମଙ୍ଗଳା ଙ୍କ ପୀଠ। ଭକ୍ତ ମାନେ ମଧ୍ୟ ଦୂରଦୁରାନ୍ତ ରୁ ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ ବଡ଼ କଲ୍ୟାଣୀ ମଣ୍ଡପ ନାହିଁ। ଯାହାକି ବିଭିନ୍ନ ସଭା, ସମିତି କରିବା ରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଘରୋଇ ମଣ୍ଡପ ଉପରେ ନିର୍ଭର କରୁଛନ୍ତି। ଯଦି ବା କିଛି ନୂଆ କଲ୍ୟାଣୀ ମଣ୍ଡପ ତିଆରି ହେଉଛି ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନି। ବର୍ତମାନ ପରିସ୍ଥିତି ରେ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ଅତିକମ୍ ରେ ୧୬ଗୋଟି ପଂଚାୟତ ପାଇଁ ୮ରୁ ଉର୍ଦ୍ଧ ବଡ଼ କଲ୍ୟାଣୀ ମଣ୍ଡପ ଆବଶ୍ୟକତା ଅଛି। ଏହି ସବୁ କଲ୍ୟାଣୀ ମଣ୍ଡପ ନିର୍ମାଣ ହେଲେ ସାଧାରଣ ଲୋକେ ଅଳ୍ପ ଟଙ୍କାରେ ନିଜର ବିଭିନ୍ନ କର୍ମକାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରି ପାରିବେ ବୋଲି କହିଛନ୍ତି କାକଟପୁର ବ୍ଲକ ଅଞ୍ଚଳ ସମାଜ ସେବୀ ଶିବ ମୁଦୁଲି ।ଅଯଥା ଆର୍ଥିକ ଶୋଷଣ ଶିକାର ହେବାକୁ ପଡ଼ିବନି। ଜିଲ୍ଲା ପ୍ରଶାସନ ରାଜକୋଷ ମଧ୍ୟ ବୃଦ୍ଧି ହେବ। ବାରମ୍ବାର ଅଭିଯୋଗ ସତ୍ୱେ ଏଥିପ୍ରତି କେହି ଗୁରୁତ୍ୱ ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।କାକଟପୁର ବ୍ଲକ ଅଂଚଳରେ ବିଭିନ୍ନ ପଂଚାୟତ ରେ ଆବଶ୍ୟକ କଲ୍ୟାଣୀ ମଣ୍ଡପ କାହିଁକି ନିର୍ମାଣ କରାଯାଉନି, ଏ ନେଇ ବିଡ଼ିଓ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତି କହିଛନ୍ତି କିଛି ପଂଚାୟତ ରେ ନିର୍ମାଣ ଚାଲିଥିବା ବେଳେ ଅନେକ ସ୍ଥାନରେ ଏଥିପାଇଁ ସ୍ଥାନାଭାବ ଦାୟୀ କରିଥିଲେ। ଯେଉଁଠି ସରକାରୀ ଜାଗା ଅଛି ;ତାହା ଏବେ ଜବର ଦଖଲ ଅଧୀନରେ। କଲ୍ୟାଣୀ ମଣ୍ଡପ ପାଇଁ ଆବଶ୍ୟକ ଜାଗା ମିଳିଲେ ଏହା ନିର୍ମାଣ କରିବାରେ କିଛି ସମସ୍ୟା ନାହିଁ ବୋଲି କହିଥିଲେ। ଏହା ସହ ଅନେକ ଘରୋଇ ମଣ୍ଡପ ରେ ପାର୍କିଂ ନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ରାସ୍ତା ରେ ଯାତାୟାତ ସମସ୍ୟା ହେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହୋଇଛି। ଯଦି ପ୍ରଶାସନ ତରଫରୁ ଅଞ୍ଚଳବାସୀଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି କଲ୍ୟାଣୀ ମଣ୍ଡପ ନିର୍ମାଣ ସହ ନିର୍ମିତ ମଣ୍ଡପ ଗୁଡିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଞ୍ଚଳବାସୀ ସମସ୍ୟା ରହିବନି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ