ଅଣା-ବରାଙ୍ଗ ରାସ୍ତା ପାଲଟିଛି ମରଣଯନ୍ତା, ମରାମତି ପାଇଁ ଗୁରୁତ୍ୱ ଦେଉନି ପୂର୍ତ୍ତ ବିଭାଗ

ହାଟଡ଼ିହି (ଓ୍ବାଇଏନଏସ) : ହାଟଡ଼ିହି ବ୍ଲକ୍ ଅଧୀନସ୍ଥ ଅଣା-ବରାଙ୍ଗ ରାସ୍ତାଟି ଗତ କିଛିବର୍ଷ ପୂର୍ବରୁ ନବୀକରଣ କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ଏହି ରାସ୍ତାରେ ବଡ଼ ବଡ଼ ଗାଢ଼ ସୃଷ୍ଟି ହୋଇ ବିପଦସଙ୍କୁଳ ହୋଇପଡ଼ିଛି। ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଭାରୀଯାନ ଚଳାଚଳ କରିବା ଦ୍ୱାରା  ରାସ୍ତାଟି  ବେଶିଦିନ ତିଷ୍ଠି  ନରହି ଖୁବ ଅଳ୍ପଦିନରେ ନଷ୍ଟ ହୋଇଯାଉଛି। ରାସ୍ତାର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଁ ଖାଲ ସୃଷ୍ଟି ହୋଇ ପଥଚାରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ବାଇକ୍ ଆରୋହୀମାନେ ଏହି ଖାଲଢ଼ିପ ରାସ୍ତାରେ ପଡ଼ି ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି | ଦୁର୍ଘଟଣାର ଶିକାର ହୋଇ ଲୋକଙ୍କ ମୂଲ୍ୟବାନ ଜୀବନ ମଧ୍ୟ ବେଳେ ବେଳେ ଚାଲିଯାଉଛି| ବର୍ଷା ହେବା ମାତ୍ରକେ ଉକ୍ତ ଗାଢ଼ଗୁଡ଼ିକରେ ବର୍ଷାଜଳ ଜମି ମୁଖ୍ୟତଃ ବାଇକ୍ ଆରୋହୀଙ୍କୁ ସମସ୍ୟାରେ ପକାଇବା ସହ ଦୁର୍ଘଟଣା ଲାଗି ରହୁଛି। ଅଳ୍ପ ଉଚ୍ଚତା ବିଶିଷ୍ଟ ଛୋଟ ୩/୪ ଚକିଆ ଯାନଗୁଡ଼ିକ ରାସ୍ତାର କୃତ୍ରିମ ଗାଢ଼ରେ ଭ୍ରମିତ ହୋଇ ଦୁର୍ଘଟଣାର ର ଶିକାର ହେଉଛନ୍ତି। ଏପରିକି ଏହି ରାସ୍ତାରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍ ଗୁଡିକ ନାନା ଅସୁବିଧାର ସମ୍ମୁଖୀନ ହେଉଛି। ବିପର୍ଯ୍ୟସ୍ତ ରାସ୍ତା ପାଇଁ ଏହି ରାସ୍ତାରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯିବା କଷ୍ଟକର ବ୍ୟାପାର ହୋଇପଡ଼ୁଛି। ପ୍ରତିବର୍ଷ ଏହି ରାସ୍ତାର ମରାମତି ପାଇଁ ସରକାରୀ ଅନୁଦାନରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିବା ବେଳେ ନିମ୍ନମାନର ମରାମତି କାର୍ଯ୍ୟ ହେଉଛି। ତାହା କ୍ଷଣସ୍ଥାୟୀ ହୋଇ ପଡୁଛି।  କଂକ୍ରିଟ ରାସ୍ତା ସବୁ ଫାଟିଯାଇ ଗାଢ଼ ହୋଇ ପଥଚାରୀଙ୍କ ପାଇଁ ଦୁର୍ଘଟଣା ବୃଦ୍ଧି କରୁଛି । ବରାଙ୍ଗ ଛକରେ ବିରାଟ ବିରାଟ ଖାଲ ମାନ ସ୍ତୁଷ୍ଟି ହେବା ଦ୍ୱାରା ସାଇକେଲ ଟିଏ ନେଇ ଯାତାୟାତ କରିବା କଷ୍ଟକର ହୋଇ ପଡିଛି। ବିଶେଷକରି ଏହି ଅଞ୍ଚଳରେ ଥିବା ବାଲି ଘାଟ ଗୁଡ଼ିକରୁ ଦୈନିକ ବାଲି ବୋଝେଇ ହାଇୱା ଯାତାୟାତ କରିବା ଦ୍ୱାରା ପୋଖରୀ ସଦୃଶ ଖାଲ ସବୁ ହୋଇ ଗଲାଣି। ଏହି ରାସ୍ତା ଉପରେ ସମଣା, ବଡ଼ ରମ୍ପାସ, ଇଞ୍ଚୋଳ, ଆମ୍ବୋ, ହାବଳେଶ୍ୱର ଆଦି ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ଵ ଗ୍ରାମର ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହି ରାସ୍ତା ଉପରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ନିର୍ଭକରୁଥିଲା ବେଳେ ସେମାନେ ମଧ୍ଯ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହି ଖାଲଢ଼ିପ ରାସ୍ତାରେ ପ୍ରତିଦିନ ସ୍ଥାନୀୟ ଲୋକ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ମାନେ ଯିବାଆସିବା  କରୁଥିଲେ  ମଧ୍ଯ ରାସ୍ତା ମରାମତି ଦିଗରେ ମନ ବଳାଉ ନାହାଁନ୍ତି। ବଡ଼ ବଡ଼ ଦୁର୍ଘଟଣା କିମ୍ବା ମୂଲ୍ୟବାନ ଜୀବନ ଯିବା ପୂର୍ବରୁ ତୁରନ୍ତ ଏହି ରାସ୍ତାର ମରାମତି ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦୃଷ୍ଟି ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ କେଳୁ ଚରଣ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଏପରି ହେଉଛି। ତଥାପି ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ