ଆରମ୍ଭ ହେଲାଣି ଶିକ୍ଷାବର୍ଷ: ଏଯାଏ ଆସିଲାନି ସ୍କୁଲ ପିଲାଙ୍କ ବହି
ହାଟଡିହି , (ଓ୍ବାଇଏନଏସ) : ଚଳିତ ବର୍ଷର ଶିକ୍ଷାବର୍ଷ ଆରମ୍ଭ ହେଲାଣି। ହେଲେ ଏଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବହି ଆସିପାରିନାହିଁ। ଚଳିତ ବର୍ଷ ପୁରୁଣା ବହି ବଦଳି ଯାଇ ନୂତନ ବହି ପ୍ରକାଶ ପାଇଥିବା ବେଳେ ଆଜି ପର୍ଯ୍ୟନ୍ତ ନୂଆ ବହି ସମ୍ପୂର୍ଣ୍ଣ ଆସି ନଥିବାରୁ ଛାତ୍ରଛାତ୍ରୀ ମାନେ ବହି ପାଇପାରି ନାହାନ୍ତି। ଏପରିକି ବଜାରରେ ବହି ମିଳୁ ନଥିବାରୁ ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ ଆରମ୍ଭ ହୋଇ ପାରି ନଥିବା ଜଣାଯାଇଛି। ବହି ମିଳୁ ନଥିବାରୁ ପିଲାମାନେ ପାଠପଡ଼ା କିପରି ଆରମ୍ଭ କରିବେ ସେନେଇ ଅଭିଭାବକ ମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପିଲାଙ୍କୁ ବହି ଯୋଗାଇ ଦିଆଯିବ ବୋଲି ଖୋଦ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ରହିଯାଇଛି। ହାଟଡିହି ଶିକ୍ଷାମଣ୍ତଳ ଅଧୀନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୮ଟି ସରକାରୀ ସ୍କୁଲ ଥିବା ବେଳେ ଏକ ଲକ୍ଷରୁ ଉର୍ଦ୍ଧ ବହିର ଆବଶ୍ୟକତା ଥିବା ବେଳେ ଆଜି ସୁଧା ମାତ୍ର ୫୪ ହଜାର ବହି ଆସିଛି। ୫ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆଦୌ ବହି ଆସି ନଥିବା ବେଳେ ୬ଷ୍ଠ ଶ୍ରେଣୀର ସାହିତ୍ୟ ବହି ଆଦୌ ଆସିନି। ଯେଉଁ ୫୪ ହଜାର ବହି ଆସିଛି ସେଥିରେ ସବୁ ବିଷୟର କମ ପରିମାଣର ବହି ଆସିଥିବାରୁ ବଣ୍ଟନ ରେ ଅସୁବିଧା ଉପୁଜୁଛି। ବିଶେଷ କରି ମାତୃଭାଷା ଓଡ଼ିଆ ବହି ସବୁ ଶ୍ରେଣୀର ପିଲାଙ୍କ ପାଇଁ ଉପଲବ୍ଧ ନାହିଁ। ସେହିପରି ହାଇସ୍କୁଲ ଗୁଡିକୁ ଛାତ୍ରଛାତ୍ରୀଙ୍କ ତାଲିକା ମଗା ଯାଇଛି, ସ୍କୁଲ ମାନଙ୍କରୁ ତାଲିକା ଆସିଲେ ବହି ଯୋଗାଇ ଦିଆଯିବ ବୋଲି ଏବିଇଓ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି। ସେହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ବହି ଦିନେ ଦୁଇଦିନ ଭିତରେ ପହଞ୍ଚିବ, ବହି ଆସିଲେ ଅତିଶୀଘ୍ର ବଣ୍ଟନ ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


