ଦୁଇଦିନିଆ ଜନଗଣନା ତାଲିମ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଆଗାମୀ ଜନଗଣନା କାର୍ଯ୍ୟକୁ ସଠିକ୍‌, ସୁବ୍ୟବସ୍ଥିତ, ନିର୍ଭୁଲ ଓ ସମୟାନୁବର୍ତ୍ତୀ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜନଗଣନା ପର୍ଯ୍ୟାୟ-୨ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବର ୩ ଓ ୪ ତାରିଖରେ ଡେରାବିଶ ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୁଗ୍ମ ନିର୍ଦ୍ଦେଶକ(ଜନଗଣନା) ହେମନ୍ତ କୁମାର ସିଂହ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହିତ ରଶ୍ମିରଞ୍ଜନ ମାଣିକ, ସିଦ୍ଧାର୍ଥ ବେହେରା ଓ ସମାପ୍ତି ସେନ ମଧ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଜନଗଣନାର ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ। ପ୍ରଶିକ୍ଷକମାନେ ଜନଗଣନାର ଉଦ୍ଦେଶ୍ୟ, ବିଭିନ୍ନ ପର୍ଯ୍ୟାୟରେ ଅନୁସରଣୀୟ ପ୍ରକ୍ରିୟା, କାର୍ଯ୍ୟପଦ୍ଧତି ଓ ଅଧିକାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ତଥ୍ୟର ଗୁଣବତ୍ତା ରକ୍ଷା ଏବଂ ନିର୍ଦ୍ଧାରିତ ନିୟମାବଳୀର ଅନୁପାଳନ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକ୍ରିଷ୍ଣ ଜେନା, ଡେପୁଟି କଲେକ୍ଟର(ଜନଗଣନା)ସରୋଜ କୁମାର ବେହେରା ଏବଂ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣରେ ଜିଲ୍ଲାର ସମସ୍ତ ଚାର୍ଜ ଅଧିକାରୀ, ଜନଗଣନା କାର୍ଯ୍ୟ ସହ ଜଡ଼ିତ ଦାୟିତ୍ୱପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ତଥା ବୈଷୟିକ ସହାୟକମାନେ ଅଂଶଗ୍ରହଣ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣରେ ଜନଗଣନାର ବିଭିନ୍ନ ପ୍ରକ୍ରିୟା, କ୍ଷେତ୍ରସ୍ତରୀୟ କାର୍ଯ୍ୟର ଯୋଜନା ଓ ପରିଚାଳନା, ତଥ୍ୟ ସଂଗ୍ରହ ଏବଂ ଯାଞ୍ଚ, ନିର୍ଦ୍ଧାରିତ ଫର୍ମ ଓ ନିର୍ଦ୍ଦେଶାବଳୀର ସଠିକ୍ ଉପଯୋଗ, ବୈଷୟିକ ପ୍ରଣାଳୀର ବ୍ୟବହାର ଓ କାର୍ଯ୍ୟ ସମ୍ପାଦନ ସମୟରେ ଦେଖାଦେଉଥିବା ସମ୍ଭାବ୍ୟ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ଜନଗଣନା କାର୍ଯ୍ୟରେ ନିୟୋଜିତ ଚାର୍ଜ ଅଧିକାରୀମାନଙ୍କ ଭୂମିକା ଓ ଦାୟିତ୍ୱ, କ୍ଷେତ୍ରସ୍ତରରେ କାର୍ଯ୍ୟର ସୁପରିଚାଳନା, ଅଧସ୍ତନ କର୍ମଚାରୀଙ୍କ ସହ ସମନ୍ୱୟ, ତଥ୍ୟର ସଠିକତା ନିଶ୍ଚିତ କରିବା ଏବଂ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହାସହିତ ପ୍ରଶିକ୍ଷଣରେ ଅଂଶଗ୍ରହଣକାରୀ ମାନଙ୍କ ବିଭିନ୍ନ ସନ୍ଦେହ ଓ ପ୍ରଶ୍ନର ସମାଧାନ କରାଯିବା ସହ ଜନଗଣନା ସମ୍ପର୍କିତ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆବଶ୍ୟକୀୟ ମାର୍ଗଦର୍ଶନ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀମାନେ ଜନଗଣନା କାର୍ଯ୍ୟର ବିଭିନ୍ନ ପଦ୍ଧତି, ନିୟମାବଳୀ ଓ କ୍ଷେତ୍ରସ୍ତରୀୟ ଦାୟିତ୍ୱ ସମ୍ପର୍କରେ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ହାସଲ କରିଥିଲେ। ଜନଗଣନା କେବଳ ଜନସଂଖ୍ୟା ଗଣନାରେ ସୀମିତ ନୁହେଁ ଏହା ଦେଶର ଯୋଜନା ପ୍ରସ୍ତୁତି, ଉନ୍ନୟନମୂଳକ କାର୍ଯ୍ୟକ୍ରମର ରୂପାୟନ, ସମ୍ବଳର ସୁବଣ୍ଟନ ଏବଂ ଭବିଷ୍ୟତର ନୀତି ନିର୍ଦ୍ଧାରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର। ତେଣୁ ଏହି ଜାତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳତା ପାଇଁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ନିଷ୍ଠା, ଦାୟିତ୍ୱବୋଧ ଓ ସମନ୍ୱୟର ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ