କେନ୍ଦ୍ରାପଡ଼ା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମନ୍ୱୟ ଜରୁରୀ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ଜିଲ୍ଲାର ସାମଗ୍ରିକ ବିକାଶ, ଉନ୍ନୟନମୂଳକ ଯୋଜନାର ସୁଚାରୁ ରୂପାୟନ ତଥା ଜିଲ୍ଲାର ପ୍ରାଥମିକତାଭିତ୍ତିକ ଆବଶ୍ୟକତାକୁ ନେଇ ସ୍ଥାନୀୟ ସଦର ମହକୁମାରେ ୧୯ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ତଥା ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ଅଧ୍ୟକ୍ଷତାରେ ଏହା ଥିଲା ପ୍ରଥମ ବୈଠକ। ଏହି ଅବସରରେ ଅଧ୍ୟକ୍ଷ ଡ. ନାୟକ କହିଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ସାମଗ୍ରିକ ଓ ସନ୍ତୁଳିତ ବିକାଶ କେବଳ ସରକାରୀ ଯୋଜନା ପ୍ରଣୟନରେ ସୀମିତ ନ ରହି ସମସ୍ତ ବିଭାଗ, ଜନପ୍ରତିନିଧି ଏବଂ ପ୍ରଶାସନର ମିଳିତ ଉଦ୍ୟମ ଓ ଉତ୍ତମ ସମନ୍ୱୟ ଉପରେ ନିର୍ଭର କରେ। ବିକାଶମୂଳକ ଯୋଜନା ଗୁଡ଼ିକ ଯେପରି କାଗଜକଲମରେ ସୀମିତ ନ ରହି ଧାର୍ଯ୍ୟ ସମୟସୀମା ମଧ୍ୟରେ ଏବଂ ଉଚ୍ଚ ଗୁଣାତ୍ମକ ମାନ ବଜାୟ ରଖି କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହୁଏ, ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଅତ୍ୟନ୍ତ ଯତ୍ନବାନ ଓ ଦାୟିତ୍ୱବାନ ହେବାକୁ ସେ କଡ଼ା ପରାମର୍ଶ ଦେଇଥିଲେ। ବିଶେଷ କରି ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ଓ ସ୍ଥାନୀୟ ଆଶାଆକାଂକ୍ଷାକୁ ଅଗ୍ରାଧିକାର ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ଭିତ୍ତିଭୂମି ବିକାଶ, ଜନସାଧାରଣଙ୍କ ମୌଳିକ ସୁବିଧା ଏବଂ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା। ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ ପାଲଟିଥିବା କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଜଳସେଚନ ସୁବିଧାର ସମ୍ପ୍ରସାରଣ, ଆଧୁନିକୀକରଣ ଏବଂ ଚାଷଜମିକୁ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଚୁର ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରି ଇକୋ-ଟୁରିଜିମ୍ ଓ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଆଲୋକପାତ କରାଯାଇଥିଲା। ଜିଲ୍ଲାର ପ୍ରାକୃତିକ ସମ୍ପଦ, ଐତିହାସିକ ଓ ଧାର୍ମିକ କ୍ଷେତ୍ରଗୁଡ଼ିକର ସୁରକ୍ଷା ସହ ପର୍ଯ୍ୟଟକମାନଙ୍କ ନିମନ୍ତେ ଆଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଗଲେ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ରୋଜଗାର ଓ ଜୀବିକାର ପନ୍ଥା ଉନ୍ମୁକ୍ତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା।ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମଳ ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥାର ସୁନିଶ୍ଚିତତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ସହରାଞ୍ଚଳରେ ନିରାପଦ ପାନୀୟଜଳ ଯୋଗାଣ, ଜଳଯୋଗାଣ ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଉଭୟ ସହର ତଥା ଗ୍ରାମାଞ୍ଚଳରେ ବର୍ଷାଜଳ ନିଷ୍କାସନ ଲାଗି ଡ୍ରେନେଜ୍ ବ୍ୟବସ୍ଥାର ନିୟମିତ ରକ୍ଷଣାବେକ୍ଷଣ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ରାପଡ଼ା ଏକ ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ପୂର୍ବ ପ୍ରସ୍ତୁତି ଉପରେ ଜୋର ଦିଆଯାଇଥିଲା।ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ଏବଂ ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ରହି ନିଜ ନିଜ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଜନହିତକର ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିସହିତ ଜିଲ୍ଲାପାଳ ରଘୁରାମ ଆର. ଆୟର, ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦ୍ଦେଶକ ଆରତୀ ନାୟକ, ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟସଦସ୍ୟା, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଜିଲ୍ଲା ଯୋଜନା କମିଟିର ସମସ୍ତ ନିଷ୍ପତ୍ତିକୁ ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବା ଏବଂ ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ନିୟମିତ ବ୍ୟବଧାନରେ ତଦାରଖ କରିବାକୁ ସର୍ବସମ୍ମତ ନିଷ୍ପତ୍ତିି ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ