ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା: ଅଭିଯୁକ୍ତକୁ ଧରି ସିନ ରିକ୍ରିଏସନ କଲା ପୋଲିସ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ବାଲିଆ ଅଞ୍ଚଳରୁ ଗତ ମଙ୍ଗଳବାର ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପୋଲିସ କୁ ମିଳିଛି ବଡ଼ ସଫଳତା। ପାଣି, କାଦୁଅ ବିଲରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା l ବୁଧବାର ପୋଲିସ ସାଇଣ୍ଟିଫିକ ଟିମ ସହଯୋଗରେ ତଦନ୍ତ କରିବା ସହିତ ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି l ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ମୃତଦେହ ନିକଟରେ ପୋଲିସ ଏକ ଭେନିଟ ବ୍ୟାଗ ଜବଦ ପରେ ତା ମଧ୍ୟରୁ ମହିଳାଙ୍କ ପରିଚୟ ସମ୍ପର୍କିତ କେତେକ ତଥ୍ୟ ମଧ୍ୟ ପାଇଥିଲା। ମିଳିଥିବା ଟ୍ରେନ ଟିକେଟ ଯାଞ୍ଚ ପରେ ମହିଳା ଜଣକ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ଭାବେ ଜଣା ପଡିଥିଲା l ମହିଳା ଜଣକ ରେଲୱେ ଷ୍ଟେସନରୁ ଆସିଥିବା ଜଣା ପଡିବା ପରେ ପୋଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ମାଧ୍ୟମରେ ତଦନ୍ତକୁ ଆଗେଇଥିଲା। ସିସିଟିଭି ଫୁଟେଜ ଆଧାରରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ନାରାୟଣପୁର ଗ୍ରାମର ଜଣେ ଯୁବକକୁ ଆଣି ପଚରା ଉଚୁରା କରିଥିଲା। ସେ ବାଇକ ଯୋଗେ ମହିଳାଙ୍କୁ ଆଣି ଏଠାରେ ଛାଡ଼ିଥିବା ସ୍ୱୀକାର କରିଛି। ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଆଜି ସହ ଅଭିଯୁକ୍ତ ଯୁବକକୁ ଧରି ଘଟଣା ସ୍ଥଳରେ ପହଞ୍ଚି ସିନ ରିକ୍ରିଏସନ କରିଛି। ମହିଳାଙ୍କ ପରିଚୟ ମିଳିବା ପରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ପଠା ଯାଇଛି। ପରିବାର ଲୋକେ ପହଞ୍ଚିବା ପରେ ଇଏ ସେହି ମହିଳା କି ନୁହେଁ ତାହା ଜଣା ପଡିବ। ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଝାଡଖଣ୍ଡର ଜଣେ ଯୁବକ ଏପରି କାଣ୍ଡ ଭିଆଇ ଥିବା ସୂଚନା ମିଳିଛି। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଜୋର ସୋର ଉଦ୍ୟମ ଚଳାଇଛି। ତେବେ ବର୍ତ୍ତମାନ ଗିରଫ ହୋଇଥିବା ସହଯୋଗୀ ଜଣକ କିଛି ସ୍ପଷ୍ଟ ସୂଚନା ଦେଉ ନଥିବା ପୁଲିସ କହିଛି । ତେବେ ଝାଡାଖଣ୍ଡ ର ଯୁବକ ପଶ୍ଚିମବଙ୍ଗର ମହିଳାଙ୍କୁ ଆଣି ଓଡ଼ିଶାରେ କାହିଁକି ହତ୍ୟା କଲା ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି।


