ମୌସୁମୀ ବର୍ଷାରେ ବୁଡ଼ିଲା ଗାଁ, ଘରେ ପଶିଲା ପାଣି
ଧାମନଗର(ଓ୍ବାଇଏନଏସ): ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତରେ ପ୍ରଶାସନର ଚରମ ଅପାରଗତା ଓ ଅପରିଣାମଦର୍ଶୀ କାର୍ଯ୍ୟକଳାପ ଯୋଗୁଁ ଗାଁ ଲୋକେ କୃତ୍ରିମ ବନ୍ୟାର ସମ୍ମୁଖୀନ ହୋଇଛନ୍ତି। ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଦୁର୍ନୀତିର କରାଳ ରୂପ ଏବେ ପଦାରେ ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ନଥିବା ବେଳେ,କେବଳ ପ୍ରାକ୍-ମୌସୁମୀ ବର୍ଷାରେ ହିଁ ପୋଖରୀ ପାଣି ଉଛୁଳି ସମ୍ପୂର୍ଣ୍ଣ ଗାଁ ଦାଣ୍ଡକୁ ବୁଡ଼ାଇ ଦେଇଛି। ରାଧାବଲ୍ଲଭପୁର ଓ ସାହୁସାହି ଗାଁର ଲୋକଙ୍କ ଘରେ ଅପରିଷ୍କାର ପାଣି ପଶିଯିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତା ଉପରେ ଏବେ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ସରସ୍ୱତୀ ମନ୍ଦିର ଅଞ୍ଚଳ ଏବଂ ବନ୍ଧଟିଆ ମଠ ପଛ ପଟ ସାହି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳ କେବେ ବି ବନ୍ୟା ପ୍ରବଣ ନୁହେଁ ଏବଂ ବିଗତ ୫୦ ବର୍ଷ ଭିତରେ ଏଭଳି ସଂକଟଜନକ ପରିସ୍ଥିତି କେବେ ହେଲେ ଉପୁଜି ନଥିଲା। ଏହି କାରଣରୁ ଲୋକେ ପୂର୍ବରୁ ରାସ୍ତାଠାରୁ ସାମାନ୍ୟ ଉଚ୍ଚରେ ଘର ନିର୍ମାଣ କରି ସୁରକ୍ଷିତ ଥିଲେ। ଗତବର୍ଷ ମନରେଗା ଯୋଜନାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ୨ ଏକର ପରିମିତ ଶିରିଗଡ଼ିଆ ଓ ହଜାରିଗଡ଼ିଆ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। ସ୍ଥାନୀୟ ସରପଞ୍ଚଙ୍କ ପ୍ରତ୍ୟକ୍ଷ ସଂପୃକ୍ତିରେ ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ପଷ୍ଟ ଜଣାପଡ଼ିଛି। ପ୍ରକୃତ ପକ୍ଷେ ହଜାରିଗଡ଼ିଆ ପୋଖରୀର କୌଣସି ସଫେଇ କାର୍ଯ୍ୟ କରାଯାଇନଥିବା ବେଳେ କେବଳ ଶିରିଗଡ଼ିଆ ପୋଖରୀର ପାର୍ଶ୍ୱକୁ ସାଇଜ୍ କରି ଓ ଦଳ ସଫା କରି ସମ୍ପୂର୍ଣ୍ଣ ବିଲ୍ ପାସ୍ କରି ଆତ୍ମସାତ କରାଯାଇଛି। ପ୍ରଶାସନର ଠିକାଦାରୀ ମନୋଭାବ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ବିକାଶ ନାଁରେ ଚାରିଆଡ଼େ ଉଚ୍ଚା କଂକ୍ରିଟ୍ ରାସ୍ତା ତ ତିଆରି କରାଗଲା, କିନ୍ତୁ ପୂର୍ବରୁ ଥିବା ପାରମ୍ପରିକ ଜଳ ନିଷ୍କାସନ ବ୍ୟବସ୍ଥା, ସୋଠ ଏବଂ ହ୍ୟୁମ୍ ପାଇପ୍ଗୁଡ଼ିକୁ ଅତି ଦାୟିତ୍ୱହୀନ ଭାବେ ବନ୍ଦ କରିଦିଆଗଲା। ପାଣି ବାହାରିବା ପାଇଁ କୌଣସି ବିକଳ୍ପ ପଥ ନରଖି କରାଯାଇଥିବା ଏହି ଅପରିଣାମଦର୍ଶୀ ଯୋଜନା ଯୋଗୁଁ ଆଜି ବର୍ଷା ଜଳ ଲୋକଙ୍କ ଶୋଇବା ଘରେ ପଶୁଛି।ଆଗକୁ ମୌସୁମୀ ଋତୁ ଆସୁଥିବାରୁ ପ୍ରବଳ ବର୍ଷା ହେଲେ ପରିସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭାଳ ହେବା ନିଶ୍ଚିତ। ପ୍ରଶାସନର ଏହି ଦୂରଦୃଷ୍ଟିହୀନ ଓ ଜନବିରୋଧୀ କାର୍ଯ୍ୟକଳାପକୁ ପ୍ରତିବାଦ କରି ଆଜି ଗ୍ରାମବାସୀଙ୍କ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯଦି ତୁରନ୍ତ ଜଳ ନିଷ୍କାସନର ବିକଳ୍ପ ବ୍ୟବସ୍ଥା କରାନଯାଏ ଏବଂ ମନରେଗା ପ୍ରକଳ୍ପର ସ୍ୱଚ୍ଛ ତଦନ୍ତ ନହୁଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜପଥ ଅବରୋଧ ସହ ବଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


