ନିଷ୍କାସିତ ହୋଇପାରୁନି ଜଳ, ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଅଧିନ ସରମରା ଗ୍ରାମ ଠାରୁ ବାହାରି ଥିବା ସରୁ ସାଗର ନଦୀର ଜଳ ସଠିକ ଭାବେ ନିଷ୍କାସିତ ହୋଇପାରୁ ନଥିବାରୁ ଗ୍ରାମବାସୀ ମାନେ ବର୍ଷା ଦିନେ ସମସ୍ୟା ଭୋଗୁଥିବା ଜଣାଯାଇଛି l ପ୍ରକାଶ ଯେ, ସରମରା ଗ୍ରାମ ଠାରୁ ସରୁ ସାଗର ନଦୀ ବାହାରି ଏରଝାଟିଆ, ମଙ୍ଗୁଲି, ପାରାବନ୍ଧ, ଗଣ୍ଡକୁରା, ଗୋପାଳପୁର ଏବଂ ଓଡ଼ଙ୍ଗ ଗ୍ରାମ ପାର୍ଶ୍ଵ ଦେଇ ଗଣିଜାଙ୍ଗ ଠାରେ କପାଳୀ ନଦୀରେ ମିଶିଛି l ମାତ୍ର ଏହି ନଦୀ ଦିନକୁ ଦିନ ପୋତି ହୋଇଯିବା ସହ ବିଭିନ୍ନ ସ୍ଥାନରେ ଦଳ ଓ କଣ୍ଟା ବୁଦା ହୋଇ ଯିବା ଫଳରେ ନଦୀର ଜଳ ସଠିକ ଭାବେ ନିଷ୍କାସିତ ହୋଇ ପାରୁନାହିଁ l ଫଳରେ ବର୍ଷା ଦିନେ ଏହି ନଦୀର ଜଳ ସରମରା ଗ୍ରାମ ଭିତରେ ପଶି ବହୁତ କ୍ଷତି ଘଟାଇ ଆସୁଛି l ଏବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଏହି ନଦୀର ଜଳ ସରମରା ଗ୍ରାମର କିଛି ଲୋକଙ୍କ ଘରେ ପସିବା ସହ ରାସ୍ତା ଘାଟ ବୁଡି ଯାଇଛି l ଲୋକ ମାନେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି l ଜାମବଣି-ଟିଲୋ ଗ୍ରେନଗୋଲା ରାସ୍ତାର ସରମରା ଉଚ୍ଚ ବିଦ୍ୟାଳୟ ନିକଟରେ ପାଣି ମାଡ଼ରେ ରାସ୍ତା ଅତଡ଼ା ଖାଇ ଯାତାୟାତରେ ବାଧା ସୃଷ୍ଟି କରିଛି l ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ନଦୀକୁ ଖୋଳି ପୁନଃରୁଦ୍ଧାର କରାଇଲେ ଗ୍ରାମବାସୀ ମାନେ ବନ୍ୟା ଦାଉରୁ ରକ୍ଷା ପାଇ ପାରିବେ ବୋଲି କହିଛନ୍ତି l


