ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ପାଣି ଜମି ହେଉଛି ମଶା ବଂଶବୃଦ୍ଧି
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ ): ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ୧୫ପଂଚାୟତ ସମେତ ହଜାର ହଜାର ଗ୍ରାମବାସୀଙ୍କ ଆଶା ଓ ଭରସାର କେନ୍ଦ୍ର। କିନ୍ତୁ ଦୁର୍ଭାଗ୍ୟବଶତଃ ଯେଉଁଠି ଲୋକେ ରୋଗରୁ ମୁକ୍ତି ପାଇବାକୁ ଆସୁଛନ୍ତି, ସେହି ମେଡିକାଲ ପରିସର ନିଜେ ଏବେ ରୋଗର ଆତୁରଘର ପାଲଟିଛି।
ଅଳ୍ପ ବର୍ଷା ହେଲେ ବି ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏହି ଜମିବା ପାଣିରେ ମଶା ଓ ଜୀବାଣୁ ବଂଶବୃଦ୍ଧିର ଉପଯୁକ୍ତ ସ୍ଥାନ ପାଲଟିଛି। ଫଳରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ବଢିବା ଅନୁମାନ କରାଯାଉଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସାଙ୍ଗରେ ଥିବା ଲୋକେ ଏବେ ଡରି ଡରି ମେଡିକାଲ ଆସୁଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଲା ସରକାରୀ ସ୍ତର ରୁ ଆସୁଥିବା ବ୍ଲିଚିଂ ପାଉଡର ଅପବ୍ୟବହାର। ନିୟମ ଅନୁଯାୟୀ ପ୍ରତି ସପ୍ତାହରେ ମେଡିକାଲ ପରିସରରେ ବ୍ଲିଚିଂ ପାଉଡର ସିଞ୍ଚନ ହେବା କଥା। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ବ୍ଲିଚିଂପାଉଡର ମେଡିକାଲ ପରିସର ରେ ପଡୁନାହିଁ। କୌଣସି ଉଚ୍ଚ ସ୍ତରୀୟ ଅଧିକାରୀ କିମ୍ବା ଗଣମାଧ୍ୟମ ରେ ଖବର ପ୍ରକାଶିତ ପରେ ଲୋକ ଦେଖାଣିଆ ଭାବେ କିଛି ସ୍ଥାନରେ ବ୍ଲିଚିଂ ପକାଯାଉଛି। ଅଭିଯୋଗ ହେଉଛି ସରକାରୀ ବ୍ଲିଚିଂ କର୍ମଚାରୀମାନେ ନିଜ ଘରକୁ ନେଇଯାଉଛନ୍ତି କିମ୍ବା ନିକଟସ୍ଥ ଦୋକାନରେ ବିକ୍ରି କରୁଛନ୍ତି। ଫଳରେ ବିଭିନ୍ନ ପଂଚାୟତକୁ ଆବଶ୍ୟକ ବ୍ଲିଚିଂ ଯୋଗାଇ ଦିଆଯାଉ ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମୁଖ୍ୟତଃ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘ ବର୍ଷ ହେଲା ଗୋଟିଏ ସ୍ଥାନରେ ରହିବା ଫଳରେ ତାଙ୍କ ମଧ୍ୟରେ ଖାମଖିଆଲ ମନୋବୃତ୍ତି ଆସିଛି। ସ୍ଥାନୀୟ ରାଜନୀତିର ଛତ୍ରଛାୟା ଓ ଅଦୃଶ୍ୟ ବ୍ୟକ୍ତି ଙ୍କ ଆଶୀର୍ବାଦ ଥିବାରୁ ତାଙ୍କର ବଦଳି ବି ହେଉନାହିଁ। ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡୁଛି ମେଡିକାଲ ପରିସର ପରିଷ୍କାର-ପରିଚ୍ଛନ୍ନତା ଉପରେ।ମେଡିକାଲ ଉର୍ନ୍ନତି କରଣ ହେଉନାହିଁ। ତାହା ସହିତ ପରିଷ୍କାର ବର୍ଷା ଦିନରେ ରହୁନାହିଁ। ସ୍ୱାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ମେଡିକାଲ ହେଉଛି ସବୁଠୁ ସୁରକ୍ଷିତ ସ୍ଥାନ। କିନ୍ତୁ ଅସ୍ତରଙ୍ଗ ରେ ସ୍ଥିତି ଠିକ୍ ଏହାର ବିପରୀତ। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ହସ୍ତକ୍ଷେପ କରି ପାଣି ନିଷ୍କାସନ, ନିୟମିତ ବ୍ଲିଚିଂ ଓ ଫଗିଂ ବ୍ୟବସ୍ଥା କରିବା ସହ ଦାୟିତ୍ୱହୀନ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ନଚେତ୍ ଆଗାମୀ ଦିନରେ ଏହି ମେଡିକାଲ ଗୋଟିଏ ବଡ ମହାମାରୀର କାରଣ ପାଲଟିପାରେ।


