ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬
ଛତ୍ରପୁର, (ଓ୍ବାଇଏନଏସ) : ମହିଳା ଓ ଶିଶୁ ବିକାଶ ବିଭାଗ, ଗଞ୍ଜାମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ଅବସରରେ ଆଜି ତାରିଖ ୦୬.୦୮.୨୦୨୬ ରେ ବ୍ଲକ୍ ସୁଭଦ୍ରା ଶକ୍ତି କେନ୍ଦ୍ର, ଛତ୍ରପୁର ବ୍ଲକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏସ୍.ଡି.ଏଚ୍., ଛତ୍ରପୁରର ଓ ଏଣ୍ଡ ଜି ପରାମର୍ଶଦାତା ଡା. ମୋହନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଜାତ ଶିଶୁଙ୍କୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଇବା, ପ୍ରଥମ ଛଅ ମାସ କେବଳ ମା’ କ୍ଷୀର ଖୁଆଇବା ଏବଂ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସମ୍ପୂରକ ଖାଦ୍ୟ ସହ ସ୍ତନ୍ୟପାନ ଜାରି ରଖିବାର ଉପକାରିତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଗଞ୍ଜାମ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା, ପି.ଓ.-କମ୍-ପି.ଓ. ଡି. ନାଗରତ୍ନମ୍, ଜିଲ୍ଲା ପ୍ରୋଗ୍ରାମ ଅଫିସର ଏସ୍. ରାଜେଶ୍ୱରୀ, ସିଡିପିଓ, ଗଞ୍ଜାମ ଆଇ ସି ଡି ଏସ ପ୍ରକଳ୍ପ ସଲିଲା ପ୍ରଧାନ, ଜିଲ୍ଲା ସଂଯୋଜକ (ପୋଷଣ) ଅମିତ କୁମାର ତ୍ରିପାଠୀ, ୟୁନିସେଫ୍ ଜିଲ୍ଲା ସଂଯୋଜକ ଦେବବ୍ରତ ମହାନ୍ତ, ଜିଲ୍ଲା ସହ ସଂଯୋଜକ (ପୋଷଣ) ସୁବ୍ରତ କୁମାର ଦାଶ ଓ ଲିଙ୍ଗ ବିଶେଷଜ୍ଞ-ସମ୍ବଲ– ସମୀର କୁମାର ପାତ୍ର ଉପସ୍ଥିତ ରହି ସ୍ତନ୍ୟପାନର ଗୁରୁତ୍ୱ, ମା’ ଓ ଶିଶୁର ସୁସ୍ଥତା ଏବଂ ପୁଷ୍ଟି ସୁରକ୍ଷା ବିଷୟରେ ସଚେତନତାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛତ୍ରପୁର ଓ ଗଞ୍ଜାମ ଆଇ ସି ଡି ଏସ ପ୍ରକଳ୍ପର ସମସ୍ତ ଲେଡି ସୁପରଭାଇଜର, ୫ ଜଣ ଗର୍ଭବତୀ ମହିଳା ଏବଂ ୫ ଜଣ ସ୍ତନ୍ୟଦାନକାରୀ ମା’ ଅଂଶଗ୍ରହଣ କରିଥିଲେ। ମା’ କ୍ଷୀରର ପୁଷ୍ଟିଗୁଣ, ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ମାତୃ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସମାଜରେ ସ୍ତନ୍ୟପାନ ପ୍ରତି ସକାରାତ୍ମକ ପରିବେଶ ସୃଷ୍ଟି ନେଇ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତେ “ସୁସ୍ଥ ମା’ – ସୁସ୍ଥ ଶିଶୁ, ମା’ କ୍ଷୀର ହିଁ ଶିଶୁର ଶ୍ରେଷ୍ଠ ଆହାର” ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଥିଲା।


