ଆନନ୍ଦ ଉଲ୍ଲାସର ସହ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଳିତ
ଆସିକା (ୱାଇଏନ୍ଏସ୍): ବିଦ୍ୟାଦାତା ବିଘ୍ନ ବିନାଶକ ଗଜାନନଙ୍କ ଆଗମନରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ଝିଲିମିଲି ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଗୁଡିକ ଝଲସି ଉଠୁଥିଲା ବେଳେ ପ୍ରଭୂ ଶ୍ରୀ ଗଜାନନଙ୍କୁ ପାରମ୍ପରିକ ରୀତିନୀତି ତଥା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଆସିକା ସହରର ବିଭିନ୍ନ ସାହିବସ୍ତିର ପୂଜାମଣ୍ଡପ ଗୁଡିକ ସୁସଜ୍ଜିତ ହୋଇଥିବାରୁ ଏହା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଆକର୍ଷିତ କରୁଥିବା ଲକ୍ଷ୍ୟ କରାଯାଇଛି । ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଉପଲକ୍ଷେ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ବିଘ୍ନେଶ୍ୱରଙ୍କୁ ପୂଜା କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ମାନେ ନୂଆଁ ପୋଷାକ ପରିଧାନ କରି ନିଜ ନିଜ ଶିକ୍ଷାନୁଷ୍ଠାନରେ ଧୂପ, ଦୀପ ଓ ଫୁଲଫଳ ଧରି ଗଣେଶଙ୍କ ପୂଜାର୍ଚ୍ଚନାରେ ମଜି ଯାଇଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ମଣ୍ଡପ ଗୁଡିକରେ ବିଦ୍ୟାଦାତା ବିଘ୍ନ ବିନାଶକ ଶ୍ରୀ ଗଣେଶ ବିଭିନ୍ନ ରୂପରେ ପୂଜା ପାଉଛନ୍ତି । ପାଗ ଅନୁକୂଳ ଥିବାରୁ ପୂଜାମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ବିଭିନ୍ନ ସାହିବସ୍ତିର ଯୁବଗୋଷ୍ଠୀମାନେ ନିଜ ନିଜ ପୂଜାମଣ୍ଡପ ଗୁଡିକୁ କିଭଳି ଅଧିକରୁ ଅଧିକ ଆକର୍ଷଣୀୟ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଦିନରାତି ଏକାକାର କରି ଲାଗିପଡିଥିବା ଦେଖିବାକୁ ମିଳିଥିଲା । ଆସିକା ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କୃଷ୍ଣ ସିଂହ ପାଠାଗାର, ଓକିଲ ସଂଘ, ପିଏମ୍ଶ୍ରୀ ହରିହର ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ, ଖମ୍ବେଶ୍ୱରୀପାଟଣା ପ୍ରାଥମିକ ବିଦ୍ୟାଳୟ, ବିନାୟକ ବଜାର, ଖମ୍ବେଶ୍ୱରୀ ପାଟଣା, ବାଣୀବିହାର, ତାଲୁକା ଛକ, କୁମ୍ଭାର ସାହି, ମୁକୁନ୍ଦପୁର, ଚିନିଶିଳ୍ପ ନୁଆଗାଁ, କଇଁଫୁଲିଆ ଛକ, ବରଗାଁ, ବସ୍ଷ୍ଟାଣ୍ଡ, ବଜାରସାହି, ଆର୍ବନ ବ୍ୟାଙ୍କ ରୋଡ୍ ତଥା ଏହାର ଆଖପାଖ ଅଞ୍ଚଳରେ ଗଜାନନଙ୍କ ପୂଜାର୍ଚ୍ଚନା ଜୋରସୋରରେ ଚାଲିଥିବା ବେଳେ ପୂଜାମଣ୍ଡପ ଗୁଡିକ ଓମ୍ ନମୋଃ ଗଣେଶ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୂ, ନମୋଃ ବିଘ୍ନ ବିନାଶାୟ ଗଣାଧିପତୟେ ନମଃ ମନ୍ତ୍ରଧ୍ୱନୀରେ ଆସିକାର ଆରିୟାନ ପବ୍ଳିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମା’ ସରସ୍ୱତୀ ବିଦ୍ୟା ମନ୍ଦିର, ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଳିକ ସ୍କୁଲ, ବାବନପୁର ଆଦର୍ଶ ଶିଶୁ ମନ୍ଦିର, କଇଁଫୁଲିଆ ଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ ପ୍ରଜ୍ଞା ଶିଶୁ ମନ୍ଦିର ପରିସର ଗୁଞ୍ଜରିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂଜାମଣ୍ଡପ ଗୁଡିକରେ ରଙ୍ଗବେରଙ୍ଗର ଆଲୋକସଜ୍ଜା ସଂନ୍ଧ୍ୟା ସମୟରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସାହିବସ୍ତିର ଶୋଭାକୁ ଦ୍ୱିଗୁଣିତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ଖମ୍ବେଶ୍ୱରୀପାଟଣା, ତାଲୁକାଛକ, ବାଣୀବିହାର, ପାକଲାପଲ୍ଲୀ ଓ ବିନାୟକ ବଜାର ଅଞ୍ଚଳର ପୂଜାମଣ୍ଡପର ସାଜସଜା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ସହରର ଅତି ପୁରାତନ ବିନାୟକ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପାଳିତ ହୋଇଆସୁଥିବା ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ୨୬ ବର୍ଷରେ ପଦାର୍ପଣ କରିଥିଲା ବେଳେ ଏହି ଅବସରରେ ସୋମବାର ପୂର୍ବାହ୍ନରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବିଦ୍ୱାନ ପଣ୍ଡିତ ସୀତାରାମ ଦାଶ ଓ ସହଯୋଗୀ ପଣ୍ଡିତ ବିଘ୍ନେଶ୍ୱର ଆଚାର୍ଯ୍ୟଙ୍କ ମନ୍ତ୍ରୋଚାରଣରେ ଗୋପୀନାଥ ମନ୍ଦିର ନିକଟସ୍ଥ ପବିତ୍ର ଋଷିକୁଲ୍ୟ ନଦୀରେ ପୂଜାର୍ଚ୍ଚନା ସାରି ଶ୍ରଦ୍ଧାଳୁ ଭକ୍ତମାନେ କଳସ ଶୋଭାଯାତ୍ରାରେ ଆସି ଅସ୍ଥାୟୀ ମଣ୍ଡପ ନିକଟରେ ପହଞ୍ଚିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିନାୟକ ବଜାର ବ୍ୟବସାୟୀ ସଂଘର ସକ୍ରିୟ ସଦସ୍ୟ ଆଧ୍ୟାତ୍ମିକପ୍ରେମୀ ଶଦ୍ଧାଳୁଭକ୍ତ ନିରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ସୁମିତ୍ରା ସାହୁ କର୍ତ୍ତା ରୂପେ ରହି ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବିନାୟକ ବଜାର ବ୍ୟବସାୟୀ ସଂଘର କାର୍ଯ୍ୟକର୍ତ୍ତା ଅନିଲ୍ କୁମାର ପୃଷ୍ଟି, କେ.ଦୀପକ କୁମାର ସେନାପତିଙ୍କ ସମେତ ସଂଘର ସଦସ୍ୟମାନେ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ଆସିକା ସହରରେ ସୋମବାର ଠାରୁ ଆରମ୍ଭ ହୋଇଥିବା ଅଗ୍ରପୂଜ୍ୟ ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।


