ମଦ୍ୟପର ଛୁରା ମାଡ଼ରେ ଯୁବକ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବୁଧବାର ମଧ୍ୟାହ୍ନରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ନିକଟ ଜନଗହଳି ପୂର୍ଣ୍ଣ ଜନତା ଲେନ ରାସ୍ତାରେ ଜଣେ ମଦ୍ୟପ ଯୁବକ ନିଶାସକ୍ତ ଅବସ୍ଥାରେ ଉନ୍ମକ୍ତ କାଣ୍ଡ ଘଟାଇ ଥିବା ଜଣାପଡିଛି । ନିଶାଗ୍ରସ୍ତ ଅବସ୍ଥାରେ ସେ ଦିଗପହଣ୍ଡି ଗୁଣ୍ଡିଚା ମନ୍ଦିର ଛକ ଅଞ୍ଚଳର କାହ୍ନା ସେଠୀ ନାମକ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଛୁରା ମାଡ କରିଛି। ସ୍ପଷ୍ଟ ଦିବାଲୋକରେ ଏହି ଛୁରାମାଡ ଘଟଣା ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି । ଖବରପାଇ ଦିଗପହଣ୍ଡି ପୁଲିସ ଟିମ୍ ବ୍ରହ୍ମପୁର ମେଇନ ରୋଡ ସେଣ୍ଟ୍ ଯୋଷେଫ ସ୍କୁଲ ନିକଟରେ ରହୁଥିବା ଅରୁଣ ସେଠୀକୁ କାବୁ କରିବା ସହ ଛୁରୀ ଜବତ କରି ପଚରାଉଚରା ଚଳାଇଛନ୍ତି। ତେବେ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ତାହା ଅସ୍ପଷ୍ଟ ରହିଛି। ଅପରପକ୍ଷରେ ପରିବାର ଲୋକେ ଗୁରୁତର ଅବସ୍ଥାରେ କାହ୍ନାଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ନେଇଥିଲେ ମଧ୍ୟ ପ୍ରାଥମିକ ଚିକିତ୍ସା ସତ୍ତ୍ୱେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।ଖବର ଲେଖା ସୁଦ୍ଧା ଏନେଇ ଥାନାରେ କୈାଣସି ମାମଲା ରୁଜୁ ହୋଇ ନଥିବା ଥାନା ଅଧିକାରୀ ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।