କାଳୀକା ନୃତ୍ୟ ମା ମଙ୍ଗଳାଙ୍କ ମନ୍ଦିରର ଏକ ଅନନ୍ୟ ପରମ୍ପରା
ସନ୍ତୋଷ କୁମାର ଦାଶ
ସାରା ରାଜ୍ୟ ରେ ପ୍ରସିଦ୍ଧି ଲାଭ କରିଥିବା ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଗଣ୍ୟ କରାଯାଏ। ମା ମଙ୍ଗଳା ଙ୍କ ର ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ରହିଛି ନିବିଡ଼ ସମ୍ପର୍କ। ଏଣୁ ମା ମଙ୍ଗଳା ଙ୍କୁ ପରମବୈଷ୍ଣବୀ ର ଆଖ୍ୟା ଦିଆଯାଇଥିବା ବେଳେ ସେ ମହାମାୟା, ଯୋଗମାୟା, ଆଦିଶକ୍ତି ଅଟନ୍ତି ବୋଲି ବିଭିନ୍ନ ପୁରାଣ ରେ ବର୍ଣ୍ଣିତ ହୋଇଛି।ମା ମଙ୍ଗଳା ଚୈତ୍ର ମାସରେ ପ୍ରାଚୀ ନଦୀ ରୁ ଉଦ୍ଧାର ହୋଇ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନବ କଳେବର ଉତ୍ସବ ରେ ସାହାଯ୍ୟ କରିଥିଲେ। ନୂତନ ଦାରୁ ମାନଙ୍କ ଠିକଣା ବତାଇ ଦେଇଥିଲେ ଦଇତା ପତି ସେବକ ମାନଙ୍କୁ। ସେହି କାରଣରୁ ପ୍ରତିବର୍ଷ ଚୈତ୍ର ମାସ ର ପ୍ରତି ମଙ୍ଗଳବାର ମା ଙ୍କ ମନ୍ଦିର ରେ ଚୈତ୍ର ମଙ୍ଗଳବାର ଓଷା ପାଳିତ ହୋଇଥାଏ। ଚୈତ୍ରମାସ ପ୍ରଥମ ମଙ୍ଗଳବାର ଠାରୁ ଚତୁର୍ଥ ମଙ୍ଗଳବାର ପର୍ୟ୍ୟନ୍ତ ମା ମଙ୍ଗଳା ଙ୍କ ମନ୍ଦିର ରେ ପାଳି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପଞ୍ଚମ (ବୈଶାଖ ମାସ ପ୍ରଥମ) ମଙ୍ଗଳବାର ଦିନ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ।
ପ୍ରଥମ ମଙ୍ଗଳବାର ଦିନ ମନ୍ଦିର ରେ
ନେତୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ପଞ୍ଚମ ( ବୈଶାଖ ମାସ ପ୍ରଥମ) ମଙ୍ଗଳବାର ଦିନ ମନ୍ଦିର ସମ୍ମୁଖରେ ନିର୍ମିତ ରଡ଼ ନିଆଁ ପୂର୍ଣ୍ଣ ଗର୍ତ୍ତ ମଧ୍ୟରେ ଘଣ୍ଟପାଟୁଆ (କାଳେସୀ) ଘଟ ମୁଣ୍ଡାଇ ଖାଲି ପାଦ ରେ ଝାମୁ ଚାଲିଥାନ୍ତି। ପ୍ରତି ମଙ୍ଗଳବାର ଦିନ ପାଟୁଆ ମାନେ ମନ୍ଦିର ବେଢ଼ା ଓ ସମ୍ମୁଖରେ ଘଣ୍ଟପାଟୁଆ ନୃତ୍ୟ ଓ ରଣପା ନୃତ୍ୟ ପରିବେଷଣ କରିଥାନ୍ତି। ତୃତୀୟ, ଚତୁର୍ଥ ଓ ପଞ୍ଚମ (ଶେଷ) ମଙ୍ଗଳବାର ବିଳମ୍ବିତ ରାତି ରେ ମନ୍ଦିର ରେ କାଳୀକା ନୃତ୍ୟ ଅନୁଷ୍ଠିତ ହୋଇଥାଏ ଯାହା ଏକ ଅନନ୍ୟ ପରମ୍ପରା ଭାବେ ପାଳନ ହୋଇଆସୁଛି କାହିଁ କେତେ କାଳରୁ। ମା ଙ୍କ ର ଜୈନିକ ଖମାରେଇ ସେବକ ଦୋଳ ପୂର୍ଣ୍ଣିମା ପରଠାରୁ ଭକ୍ତି ଓ
ନିଷ୍ଠା ରେ ରହିବା ସହିତ ପ୍ରତ୍ୟେହ
ହବିସାନ୍ନ ଭୋଜନ କରି ମା ମଙ୍ଗଳା ଙ୍କୁ ସ୍ତୁତି କରିଥାନ୍ତି। ତୃତୀୟ, ଚତୁର୍ଥ ଓ ପଞ୍ଚମ (ଶେଷ) ମଙ୍ଗଳବାର ଦିନ ବିଳମ୍ବିତ ରାତି ରେ ସେ ନିଜକୁ ମା କାଳୀ ଙ୍କ ବେଶ ରେ ସଜ୍ଜିତ କରି ଯାଇ ପହଞ୍ଚିଥାନ୍ତି ମନ୍ଦିର ଗର୍ଭ ଗୃହ ରେ। ସେଠାରେ ତାଙ୍କୁ ମା ଙ୍କ ଷୋଡ଼ଶ ଉପଚାର ପୂଜାପଣ୍ଡା ମା ଙ୍କ ଲାଗି ସିନ୍ଦୂର ଓ ଆଜ୍ଞାମାଳ ପ୍ରଦାନ କରିବା ସହିତ ପାଳିଆ ପଣ୍ଡା ତାଙ୍କ ହାତରେ ମା ମଙ୍ଗଳା ଙ୍କ ଠାରେ ପୁର୍ବରୁ ଲାଗି ହୋଇଥିବା ଏକ ଖଡ୍ଗ (ଖଣ୍ଡା) ଧରାଇ ଦେଇଥାନ୍ତି। ପାଳିଆ ସେବକ ତାଙ୍କ ସମ୍ମୁଖରେ ଘଣ୍ଟ ବଜାଇ ଥିବାବେଳେ ଆଉ ଜଣେ ସେବକ ତାଙ୍କ ସମ୍ମୁଖ ରେ ଏକ ବେତ କୁ ଗୋଲାକାର ବୃତ୍ତ କରି ଧରିଥାନ୍ତି। ଘଣ୍ଟ ର ତାଳରେ ସେବକ ଜଣଙ୍କ କାଳୀକା ନୃତ୍ୟ ପରିବେଷଣ କରିଥାନ୍ତି। ତାଙ୍କ ହାତ ରେ ଥିବା ଖଡ୍ଗ ( ଖଣ୍ଡା) ଟି ସେବକ ଙ୍କ ବେତ ବୃତ୍ତ ମଧ୍ୟରେ ସବୁ ସମୟ ରେ ରହୁଥିବାରୁ କୌଣସି ଅଘଟଣ ଘଟି ନ ଥାଏ। କାଳୀକା ମନ୍ଦିର ବେଢ଼ା ଓ ସେବକ ସାହି ଦାଣ୍ଡ ରେ ନୃତ୍ୟ ପରିବେଷଣ କରି ଶେଷରେ ମନ୍ଦିର ର ଗୋରଡ଼ା ଠାରେ ଅଚେତ ହୋଇପଡ଼ନ୍ତି। ଶେଷ ହୋଇଥାଏ କାଳୀକା ନୃତ୍ୟ। ଏହି ନୃତ୍ୟ ଦେଖିବାକୁ ମନ୍ଦିର ବେଢା ଓ
ସେବକ ସାହି ଦାଣ୍ଡ ରେ ପ୍ରବଳ ଭିଡ଼ ହୁଏ। ଚୈତ୍ର ମାସ ର ତୃତୀୟ ,ଚତୁର୍ଥ ଓ ପଞ୍ଚମ ( ଶେଷ) ମଙ୍ଗଳବାର ବିଳମ୍ବିତ ରାତିରେ ଏହି କାଳୀକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। କାଳୀକା ନୃତ୍ୟ ପରିବେଷଣ କରୁଥିବା ସେବକ ଜଣଙ୍କ ଚୈତ୍ର ମାସ ସାରା ଓଷା ବ୍ରତ ପାଳନ କରିଥାନ୍ତି ଓ ଭକ୍ତି, ନିଷ୍ଠା ର ସହିତ ମା ମଙ୍ଗଳା ଙ୍କୁ ସ୍ତୁତି କରିଥାନ୍ତି।ମା ମଙ୍ଗଳା ଯେହେତୁ ଆଦି ମାତା। ସେହେତୁ ଭକ୍ତ ମାନଙ୍କ ମଙ୍ଗଳ କରିବାକୁ ସେ ମଙ୍ଗଳା, ଭକ୍ତ ମାନଙ୍କ ଦାରିଦ୍ର୍ୟ ଦୂର କରିବାକୁ ସେ ମହାଲକ୍ଷ୍ମୀ ଆଉ ଦୁଷ୍ଟ ମାନଙ୍କୁ ସଂହାର କରିବାକୁ ସେ କାଳୀ ହୋଇ ପାରନ୍ତି। ଏହି ତତ୍ତ୍ଵ ଭକ୍ତ ଓ ଜନ ସାଧାରଣଙ୍କୁ ଜଣାଇଦେବାକୁ ମା ମଙ୍ଗଳା ଙ୍କ ମନ୍ଦିର ରେ ଏପରି କାଳୀକା ନୃତ୍ୟ ପରିବେଷଣ କରାଯିବା ପରମ୍ପରା କାହିଁ କେତେ କାଳରୁ ରହିଆସିଛି ବୋଲି କୁହନ୍ତି ମା ଙ୍କ ସେବକ କମଳ ଲୋଚନ ଦିକ୍ଷୀତ।ସେ ଯାହା ହେଉନା କାହିଁକି ଚୈତ୍ର ମାସ ମଙ୍ଗଳବାର ବିଳମ୍ବିତ ରାତିରେ ମା ମଙ୍ଗଳା ଙ୍କ ମନ୍ଦିର ରେ ଅନୁଷ୍ଠିତ କାଳୀକା ନୃତ୍ୟ ଏକ ଅନନ୍ୟ ପରମ୍ପରା ହୋଇ ରହିଆସିଛି।
ଜୟ ମା ମଙ୍ଗଳା।।
ତୁଳସୀପୁର। ପୁରୀ।।
୯୪୩୯୩୬୧୮୮୮।