ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାରରେ ସମ୍ମାନିତ ହେଲେ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର
ଭୁବନେଶ୍ୱର,(ୱାଏନଏସ): ରାଇପୁର ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ଓ ନରିଥୟଥି କଳାକ୍ଷେତ୍ରମ୍ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ରାଇପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ନୃତ୍ୟ ଅନୁଷ୍ଠାନ ଗୁଡ଼ିକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଥକ, ମଣିପୁରୀ, ଓଡ଼ିଶୀ, କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୨୭୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ରାଇପୁରର ରଙ୍ଗ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ଵରର ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ର ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ରଙ୍କୁ ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ତରଫରୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଲାଇଫ ଟାଇମ୍ ଅଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହି ଭଳି ଶୁଭେନ୍ଦୁ ଦାସଙ୍କୁ ନାଟ୍ୟ ମୟୁରମ୍ ପୁରସ୍କାର, ଦେବାଶିଷ ମହାପାତ୍ରଙ୍କୁ ନୃତ୍ୟ ଲାଭ ରସାୟନ ପୁରସ୍କାର, ତାରିଣୀ ନାୟକ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଏବଂ ଏମ୍ ଜେ କ୍ରିଷ୍ଣା ପରିଡ଼ାଙ୍କୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଶ୍ରୀୟଶ୍ରୀ ପତି, ଆଦ୍ୟାସା ମିଶ୍ର ଏବଂ ସମୀକ୍ଷ୍ୟା ବେହେରାଙ୍କୁ ନୃତ୍ୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା।