ମାତିଛନ୍ତି ଲୁଟେରା ଗ୍ୟାଙ୍ଗ: ମନ୍ଦିର ସମ୍ମୁଖରୁ ବାଇକ୍, ଚା ଦୋକାନର ଟିଣ ତାଡି ଟଙ୍କା ଲୁଟ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ତଥା ପୌରାଞ୍ଚଳର ନୂଆଁଗଡ ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରୁ ଏକ ମୋଟର ସାଇକେଲ ଚୋରୀ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକ ନଗର ଅଞ୍ଚଳର ମନୋଜ କୁମାର ସାହୁ ସୋମବାର ସକାଳେ ନିଜ ମୋଟର ସାଇକେଲ (ଓଡି୦୭ଜେ ୭୫୧୨) ଯୋଗେ ପୂଜାର୍ଚ୍ଚନା ସକାଶେ ନୂଆଁଗଡ ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରେ ବାଇକ୍ ରଖି ମନ୍ଦିର ଭିତରକୁ ଯାଇଥିଲେ। ପୂଜାର୍ଚ୍ଚନା ସାରି ଫେରିବା ବେଳକୁ ମନ୍ଦିର ସମ୍ମୁଖରୁ କେହି ଦୃବୁର୍ତ୍ତ ବାଇକ୍ ଚୋରୀ କରି ନେଇ ଯାଇଥିଲା। ବହୁ ସମୟ ଧରି ଖୋଜିବା ପରେ ବାଇକର ସନ୍ଧାନ ନମିଳିବାରୁ ଚୋରୀ ଘଟଣା ନେଇ ସେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଜାତୀୟ ରାଜପଥର କଲେଜ ନିକଟରେ ଥିବା ଏକ ଚା ଦୋକାନୀଙ୍କ ଟିଣ ତାଡି ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି।ପାର୍ବଣ ଋତୁ ଆରମ୍ଭରୁ ହିଞ୍ଜିଳି ଥାନା ଇଲାକାରେ ପ୍ରତ୍ୟହ ଛୋଟ ବଡ ଚୋରୀ ଘଟଣା ଘଟୁଥିବାରୁ ସ୍ଥାନୀୟ ପୁଲିସର ଦକ୍ଷତା ପ୍ରତି ଲୋକଙ୍କ ଆସ୍ଥା ତୁଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।