ମୃଦୁ ପାନୀୟ ବୋତଲରେ ମଲା ଝିଟିପିଟି ଗ୍ରାହକ ଆତଙ୍କିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜନବହୁଳ ହିଞ୍ଜିଳିକାଟୁ ପୌରାଞ୍ଚଳ ସମ୍ପ୍ରତି ନକଲି କାରବାରର ପେଣ୍ଠ ସ୍ଥଳୀ ପାଲଟିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନକଲି ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବସାୟର ପ୍ରମୁଖ ସହର ଭାବେ ଖ୍ୟାତି ଲାଭ କରିଥିବା ବେଳେ ଅନେକ ସମୟରେ ନକଲି ସାମଗ୍ରୀ ଜବତ ହେବା ନଜିର ରହିଛି। ଗତ କିଛି ବର୍ଷ ହେଲା ହିଞ୍ଜିଳିକାଟୁ ସହରରେ ଭେଜାଲ ଓ ଅପମିଶ୍ରିତ ଖାଦ୍ୟ ଓ ପାନୀୟ ଦ୍ରବ୍ୟ ବହୁଳ ଭାବରେ କାରବାର ହେଉଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲା ଏବଂ ବାହାର ରାଜ୍ୟରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଓ ପାନୀୟ ଦ୍ରବ୍ୟ ବହୁଳ ଭାବରେ କାରବାର ହେଉଥିବା ଜଣାପଡିଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଥିବା ବେଳେ ଏସବୁ ଦ୍ରବ୍ୟର ମାନ ସ୍ୱାସ୍ଥ୍ୟ ପକ୍ଷେ କେତେ ଯେ ହିତକର ତାହା ଜାଣିବା ସାଧାରଣରେ ମୁସ୍କିଲ ହୋଇଚି। ଦିନକୁ ଦିନ ଅପମିଶ୍ରିତ ଖାଦ୍ୟ ଓ ପାନୀୟ ଦ୍ରବ୍ୟର ଚାହିଦା ବୃଦ୍ଧି ପାଉଥିଲା ବେଳେ ପ୍ରଶାସନିକ ସ୍ଥରରେ ଏହାପ୍ରତି ଉପେକ୍ଷା କରାଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ସହରର ଗଳି କନ୍ଦିରେ ବିଭିନ୍ନ କିସମର ଦୋକାନ ରହିଛି। ପ୍ରାୟତଃ ସବୁ ଛୋଟ ବଡ଼ ଦୋକାନରେ ଥଣ୍ଡା ମୃଦୁ ପାନୀୟ, ପ୍ଲାଷ୍ଟିକ ପାଣି ବୋତଲ, ଟେଟ୍ରା ପ୍ୟାକ ମୃଦୁ ପାନୀୟର ବିଭିନ୍ନ ବ୍ରାଣ୍ଡର ମିଳିଥାଏ। ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଏସବୁ ପାନୀୟ ଦ୍ରବ୍ୟର ଚାହିଦା ବିଶେଷ ଭାବେ ବୃଦ୍ଧି ପାଇଛି। ଏହାକୁ ଲକ୍ଷ୍ୟ କରି ସ୍ଥାନୀୟ ସହରର ବହୁ ବ୍ୟବସାୟୀ ବିଭିନ୍ନ କମ୍ପାନୀର ଏକକ ବ୍ୟବହୃତ ମୃଦୁ ପାନୀୟ ବୋତଲ ଗଛିତ ରଖିଥିବା ଦେଖାଯାଇଛି। କିନ୍ତୁ ବୋତଲରେ ଥିବା ଏସବୁ ମୃଦୁ ପାନୀୟର ସ୍ଵାଦ, ମିଶ୍ରିତ ଉପାଦାନର ଆନୂପାତିକ ପରିମାଣ, ସାଧାରଣ ତାପମାତ୍ରା ଓ ଗ୍ରାହକ ଅଭିଯୋଗ ନମ୍ୱର ଆଦି ସମସ୍ର ସୂଚନା ଉଲ୍ଲେଖ କରାଯାଇଛି। ଜଣେ ଗ୍ରାହକ ଏସବୁ ସୂଚନା ସମ୍ବନ୍ଧରେ ଜାଣିବା ବଦଳରେ କମ୍ପାନୀର ବ୍ୟାପକ ପ୍ରଚାର ଓ ଦୋକନୀ ପ୍ରତି ଥିବା ବିଶ୍ୱାସକୁ ବିଚାରକୁ ନେଇ ମୃଦୁ ପାନୀୟ ପିଇ ଆତ୍ମତୃପ୍ତି ଲାଭ କରିଥାଏ। ଏଭଳି ଭାବେ ସହରରେ ଦୈନିକ ଲକ୍ଷେ ଟଙ୍କାରୁ ଅଧିକ ମୃଦୁ ପାନୀୟ ବ୍ୟବସାୟ ହେଉଥିଲା ବେଳେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଯାଞ୍ଚ ହେଉ ନ ଥିବା ଜଣାପଡିଛି। ଏହାର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ ବେଧଡକ ଭାବେ ଠିପି ବନ୍ଦ ଓ ଖୋଲା ମେଲାରେ ସ୍ଵାଦିଷ୍ଟ ପାନୀୟ ଦ୍ରବ୍ୟର ପସରା ମେଲାଇ ବିକ୍ରି କରୁଥିବା ଏବେ କୁଟୀର ଶିଳ୍ପରେ ପରିଣତ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସୋମବାର ହିଞ୍ଜିଳିକାଟୁ ପୈରାଞ୍ଚଳରେ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନ ସମୟରେ ଜଣେ ତୃଷାର୍ତ୍ତ ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିରେ ଥିବା ଏକ ପାନ ଦୋକାନକୁ ଯାଇ ତୃଷା ମେଣ୍ଟାଇବା ନିମନ୍ତେ ଦୋକାନୀଙ୍କୁ ମାଜା ନାମାକ ଥଣ୍ଡା ପାନୀୟ ପିଇବାକୁ ମାଗିଥିଲେ। ଦୋକାନୀ ଜଣଙ୍କ ଗ୍ରାହକଙ୍କୁ ଥଣ୍ଡା ପାନୀୟ ବୋତଲ ଦେବା ସମୟରେ ସଂପୃକ୍ତ ଥଣ୍ଡା ପାନୀୟ ବୋତଲରେ ଏକ ମଲା ଝିଟିପିଟି ପଡିଥିବା ଦେଖିବାକୁ ମିଳିଥିଲା। ଘଟଣା ପାରେ ଗ୍ରାହକ ଓ ଦୋକାନୀ ମାଲିକଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ସମ୍ପ୍ରତି ଏକ ନାମିଦାମୀ କମ୍ପାନୀର ମୃଦୁ ପାନୀୟ ବୋତଲରେ ଏକ ମଲା ଝିଟିପିଟି ଥିବା ଜୈନେକ ଗ୍ରାହକଙ୍କ ଦୃଷ୍ଟି ଗୋଚର ହୋଇଥିବା ଜଣାପଡିଛି। ବଡ଼ ବଡ଼ ନାମିଦାମୀ କମ୍ପାନୀର ମୃଦୁ ପାନୀୟ ତିଆରି କାରଖାନା ଗୁଡ଼ିକରେ ଅତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରା ଯାଉଥିବା ବେଳେ ମୃଦୁ ପାନୀୟ ବୋତଲରେ ମଲା ଝିଟିପିଟି ଥିବା ଗ୍ରାହକ ମାନଙ୍କୁ ଚିନ୍ତାରେ ପକାଇଛି।ଏଣେ ଏକ ଅସ୍ୱାସ୍ଥ୍ୟକର ପରିବେଶ ଓ ଖାଦ୍ୟ ନିରାପତ୍ତା ଆଇନକୁ ଉଲ୍ଲଂଘନ କରି ବେଧଡକ ଭାବେ ସର୍ବ ସମ୍ମୁଖରେ ଖୋଲା ସ୍ଵାଦିଷ୍ଟ ପାନୀୟ ବିକ୍ରୀ ହେଉଥିବା ବେଳେ ମୃଦୁ ପାନୀୟ ବୋତଲରେ ମଲା ଝିଟିପିଟି ଥିବା ଗ୍ରାହକ ମହଲରେ ଅଜଣା ଭୟ ଦେଖା ଦେଇଛି। ମୁଖ୍ୟ ରାସ୍ତା କଡ଼ ଓ ସହରର ଗଳି କନ୍ଦିରେ ଚତୁ ଫୁଟିଲା ପରି ବହୁ ଦୋକାନରେ ସ୍ଵାଦିଷ୍ଟ ପାନୀୟ ବିକ୍ରୀ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ଖାଦ୍ୟର ମାନ ଓ ବୈଧ ପ୍ରମାଣ ପତ୍ର ଓ ଗ୍ରାହକଙ୍କ ପ୍ରତି ଥିବା ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆ ଯାଉ ନ ଥିବା ଜଣା ପଡ଼ିଛି। ଫଳରେ ଗ୍ରାହକଙ୍କ ସ୍ବାସ୍ଥ୍ୟ ନିରାପତ୍ତା, ଆର୍ଥିକ ଓ ମାନସିକ ସ୍ତରରେ ଏହାର କୁପ୍ରଭାବ ପଡ଼ୁଥିବା ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବ୍ୟାପକ ଭାବେ ସଚେତନତା, ପ୍ରସାଶନିକ ଶିଥିଳତା ଓ ଖାଦ୍ୟ ନିରାପତ୍ତା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି। ଏହାର ଭରପୁର ଫାଇଦା ଏବେ ଥଣ୍ଡା ପାନୀୟ ବ୍ୟବସାୟୀଙ୍କ ପାଇଁ ପୂଷମାସ ପାଲଟିଛି। ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରଯାଇଛି। ସଂପୃକ୍ତ ଥଣ୍ଡା ପାନୀୟ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଦାବି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ