ଯବାନ ଅସୀମ ସାହସ ଦେଖାଇଛନ୍ତି: ରାଜନାଥ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ନିଜ ପ୍ରାଣବଳି ଦେଇ ଆମ ଯବାନ ଅସୀମ ସାହସ ପ୍ରଦର୍ଶନ କରିଛନ୍ତି । ଚୀନ ସୀମାରେ ୨୦ ଜଣ ଯବାନ ସହିଦ ପ୍ରସଙ୍ଗରେ ଟ୍ୱିଟ ଯୋଗେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ଯବାନଙ୍କ ପ୍ରାଣହାନି ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ ଘଟଣା । ନିଜ ପ୍ରାଣବଳି ଦେଇ ଆମ ଯବାନ ଅସୀମ ସାହସ ପ୍ରଦର୍ଶନ କରିଛନ୍ତି । ଦେଶ କେବେ ବି ସେମାନଙ୍କ ସାହସ ଓ ପ୍ରାଣବଳିକୁ ଭୁଲି ପାରିବନି ।
ଏହି ଅବସରରେ ରାଜନାଥ ସିଂ ସହିଦଙ୍କ ଶୋକାକୁଳ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି । ଏ କଠିନ ସମୟରେ ଦେଶ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହେବ । ଭାରତର ବୀର ଯବାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ରାଜନାଥ କହିଛନ୍ତି । ପ୍ରକାଶ ଯେ, ଦୀର୍ଘ ୪୫ ବର୍ଷ ପରେ ପରେ ଭାରତକୁ ଧୋକା ଦେଇଛି ଚୀନ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ ସୈନିକ ମାନେ ଆକ୍ରମଣ କରିଛନ୍ତି । ସେମାନେ କୌଣସି ଗୁଳିମାଡ଼ କରିନଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଭାରତୀୟ ସୈନିକଙ୍କ ଉପରେ ପଥର, ଲାଠି, ଲୁହାରଡ଼ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ସୈନିକଙ୍କ ପ୍ରତି ଆକ୍ରମଣରେ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି । କିନ୍ତୁ ଚୀନ ସରକାର ଏହା ସ୍ପଷ୍ଟ କରି ନାହାନ୍ତି । ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ସୀମାରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ