ଲକ୍ ଡାଉନ୍ ଆଇନ ଉଲଂଘନ: ୨ ମାମଲା, ୧୮ ବାଇକ୍ ଜବତ
ବନ୍ତ (ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଲକ୍ ଡାଉନ୍ ଆଇନ ଉଲଂଘନ ଅଭିଯୋଗରେ ୨ଟି ମାମଲା ଓ ୧୮ଟି ବାଇକ୍ ଜବତ କରିଥିବା ଜଣାଯାଇଛି । ବନ୍ତ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଚେକିଂ କରାଯାଇ ୫ ଜଣ ବାଇକ୍ ଚାଳକଙ୍କ ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ସେହିପରି କେନ୍ଦୁଆପଦା ଓ ତୋଡଗାଁ ବଜାରରେ ୩ ଜଣ ଦୋକାନୀ ଲକ୍ ଡାଉନ୍ ଆଇନ ଉଲଂଘନ କରିବାରୁ କେନ୍ଦୁଆପଦା ଫାଣ୍ଡି ପୋଲିସ ସେମାନଙ୍କ ନାମରେ ମାମଲା ରୁଜ୍ଜୁ କରିଛି । କେନ୍ଦୁଆପଦା ବଜାରର ଜଳଖିଆ ଦୋକାନୀ ଦିଗନ୍ତ ଧଳଙ୍କ ନାମରେ କେସ ନଂ-୨୨୮/୨୦ ଏବଂ ତୋଡଗାଁ ବଜାରର ଜଳଖିଆ ଦୋକାନୀ ହୃଷିକେଶ ନାୟକ, ପାନଦୋକାନୀ ସୁରେନ୍ଦ୍ର ବେହେରାଙ୍କ ନାମରେ କେସ ନଂ-୨୨୯/୨୦ରେ ମୂଳେ ୨ଟି ମାମଲା ରୁଜ୍ଜୁ କରିବା ସହ ସେମାନଙ୍କ ଦୋକାନକୁ ସିଲ୍ କରାଯାଇଛି । ଏଥିସହ ଲକ୍ ଡାଉନ୍ ଆଇନ ଉଲଂଘନ ଅଭିଯୋଗରେ ୧୩ଟି ବାଇକକୁ କେନ୍ଦୁଆପଦା ଫାଣ୍ଡି ପୋଲିସ ଜବତ କରିଥିବା ଜଣାଯାଇଛି ।