ଶୁଭେଚ୍ଛା ବାର୍ତା ଜଣାଇବା ନାଁରେ ବାଲିକୁଦା-ଏରସମା ରାଜନେତା ନାଉଗାଁ ମୁହାଁ !

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଦଶହରା ଉପଲକ୍ଷେ ବିଭିନ୍ନ ରାଜନେତା ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । କେହି ସାମାଜିକ ଗଣମାଧ୍ୟମରେ ତ କେହି ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଶୁଭେଚ୍ଛା ବାର୍ତା ଦେଉଛନ୍ତି । ଏଥର ଦଶହରାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ବ୍ୟାନର ମାଧ୍ୟମରେ କିଛି ନୂଆ ଚେହେରା ଦେଖିବାକୁ ମିଳିଛି । ଆଗକୁ ନାଉଗାଁ ବ୍ଲକ ସହିତ ବାଲିକୁଦା ବ୍ଲକ ମିଶି ନିର୍ବାଚନମଣ୍ଡଳୀ ହେବାର ସମ୍ଭାବନା ରହିଥିବା ନେଇ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର କିଛି ନୂଆ ମୁହଁ ଏହି ବ୍ଳକର ବିଭିନ୍ନ ସ୍ଥାନରେ ବ୍ୟାନର ମାରି ନିଜର ଶୁଭେଚ୍ଛା ବାର୍ତା ଜଣାଉଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ସଂଜୀବ ଏସ. ବିଶ୍ୱାଳ ପୂର୍ବରୁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଦଳରୁ ଟିକେଟ ଲବିରେ ଥାଇ ନିରାଶ ହେବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ଫଳରେ ବିଜେଡି ଦଳରୁ ନିଲମ୍ବିତ ହୋଇଥିଲେ । ଉକ୍ତ ନିର୍ବାଚନରେ ଶ୍ରୀ ବିଶ୍ୱାଳ ୯ହଜାର ୯୭୧ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଆଦିତ୍ୟ ନନ୍ଦନ ଦାସଙ୍କ ବାପା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ବିଜେଡି ଟିକେଟ ଲବିରେ ରହିବା ସହିତ ନିଜ ପୁଅ ପାଇଁ ମଧ୍ୟ ଟିକେଟ ନେବା ଆଶା ବାନ୍ଧିଥିଲେ । ହେଲେ ଶେଷରେ ନିରାଶ ହୋଇଥିଲେ । ପରେ ଦଳ ପକ୍ଷରୁ ଆଦିତ୍ୟକୁ ସାନ୍ତ୍ୱନାମୂଳକ ଭାବେ ଜିଲ୍ଲା ବିଜେଡି ଯୁବ ସଭାପତି ପଦରେ ଅବସ୍ଥାପିତ କରାଯାଇଥିଲା । ସୂଚନାଥାଉକି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବାଲିକୁଦା-ନାଉଗାଁ ମିଶି ବାଲିକୁଦା ନିର୍ବାଚନମଣ୍ଡଳୀ ରହିଥିଲା । ୨୦୦୯ ସୀମା ନିର୍ଦ୍ଧାରଣ ପରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ହୋଇଥିବା ବେଳେ ନାଉଗାଁ ବ୍ଳକ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମିଶିଥିଲା । ଆଗକୁ ୨୦୨୯ ସାଧାରଣ ନିର୍ବାଚନରେ ପୁନର୍ବାର ବାଲିକୁଦା ସହିତ ନାଉଗାଁ ମିଶିବାର ସମ୍ଭାବନା ଥିବାରୁ ଏହି ଦୁଇ ନେତା ଆଗୁଆ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବ୍ୟାନର ମାରି ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ରାଜନେତା ମାନେ ନଈ ନ ଦେଖୁଣୁ …ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ