ଶାଳିଜଙ୍ଗାରେ ଅଟୋ ଓଲଟି ୧୦ରୁ ଊର୍ଦ୍ଧ୍ୱ ସ୍କୁଲ ଛାତ୍ରଛାତ୍ରୀ ଆହତ
ନାଉଗାଁ,(ପ୍ରଦୋଷ ମହାନ୍ତି) :ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶାଳିଜଙ୍ଗା ଶିଶୁ ବିଦ୍ୟାଳୟ ମନ୍ଦିରର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩ଜଣଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଶାଳିଜଙ୍ଗା ଶିଶୁ ବିଦ୍ୟାଳୟ ମନ୍ଦିରର ଛାତ୍ରଛାତ୍ରୀ ଏକ ଅଟୋରେ ଘରକୁ ଫେରୁଥିଲେ। ଏହି ସମୟରେ ଶାଳିଜଙ୍ଗା ମହିମା ଆଶ୍ରମ ନିକଟରେ ଅଟୋଟି ଏକ ଟ୍ରାକ୍ଟରର ଡାଲା ପଛପଟେ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ଥିବା ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଗୁରୁତର ୫ଜଣଙ୍କୁ ତୁରନ୍ତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ୩ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଅନ୍ୟ ଆହତମାନେ ନାଉଗାଁ ଓ ଡେରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଅଟୋ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ନେଇ ଆହତ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି ହୋଇଛି। ସ୍କୁଲ ପିଲାଙ୍କ ପରିବହନରେ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ଅଟୋରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ପିଲାଙ୍କୁ ନିଆଯାଉଥିଲା କି ନାହିଁ ଏବଂ ଚାଳକଙ୍କ ଯୋଗ୍ୟତା ଓ ଅବସ୍ଥା କଣ ଥିଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଛୋଟ ଛୋଟ ପିଲାଙ୍କ ସୁରକ୍ଷାକୁ ଅଣଦେଖା କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଭିଭାବକ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଖବର ପାଇ ନାଉଗାଁ ପୋଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଥାନାକୁ ଆଣିଛି। ଚାଳକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଖବର ପାଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ଭବିଷ୍ୟତରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପରିବହନ ସୁରକ୍ଷା ସୁନିଶ୍ଚିତ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି।


