ସଚେତନତା ହିଁ ଶିଶୁଙ୍କୁ ଦେବ ସୁରକ୍ଷା
ନବରଙ୍ଗପୁର,(ୱାଇଏନଏସ): ପୋଷ୍ୟସନ୍ତାନ ଗ୍ରହଣ , ଶିଶୁଙ୍କୁ ଚେଙ୍କ ନଦେବା, ବାଲ୍ୟବିବାହ ନିଷେଧ ,ଶିଶୁ ଅପରାଧ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଏକ ଶିଶୁ ସୁରକ୍ଷା ଅଧିକାର ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ରହିଛି । ଏହା ଦ୍ଵାରା ଶିଶୁ ମାନେ ନିଜ ମୌଳିକତା ହରାଉଛନ୍ତି । ପିତାମାତା ମାନେ ପରମ୍ପରା ନାମରେ ନାବାଳିକା ମାନଙ୍କୁ କମ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି । ପାଠ ପଢିବା ବୟସରେ ଘରସଂସାରରେ ଛନ୍ଦି ହୋଇ, ନିଜ ଅଧିକାର ରୁ ବଞ୍ଚିତ ହେବା ସହିତ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ଵ ଲାଭ କରୁଛନ୍ତି । ସମାଜରେ ଚାଲିଥିବା ଶିଶୁ ହିଂସାକୁ ରୋକିବା , ସାମ୍ବିଧାନିକ ବିଧି ବ୍ଯବସ୍ଥା ଅନୁଯାୟୀ ପୋଷ୍ୟସନ୍ତାନ ଗ୍ରହଣ କରିବା , ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟ କ୍ରମର ଲକ୍ଷ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ ଯେଉଁ ସବୁ ଗ୍ରାମ ଗୁଡିକରେ ସଚେତନ ରଥ ପହଞ୍ଚିବ ସେଠାରେ ଆଶା କର୍ମୀ ,ସ୍ଵୟଂସହାୟକ ଦଳର ସଭ୍ୟା ,ନିର୍ବାଚିତ ପଞ୍ଚାୟତ ପ୍ରତିନିଧି , ସମସ୍ତ ଜାତିସମାଜ ମୁଖ୍ଯ , କିଶୋରୀ ବାଳିକା ଓ ଗ୍ରାମର ଅନ୍ୟ ବ୍ୟକ୍ତି ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ମାନେ ଶିଶୁଙ୍କୁ ଚେଙ୍କନଦେବା , ସାମ୍ବିଧାନିକ ବିଧି ବ୍ଯବସ୍ଥା ଅନୁଯାୟୀ ପୋଷ୍ୟସନ୍ତାନ, ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ଏକ ସାଧାରଣ ସଚେତନ ବୈଠକ କରାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀ ଙ୍କୁ ନିର୍ଦେଶ ଦିଆ ଯାଇଥିବା ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ ।ଜିଲ୍ଲା କାର୍ଯ୍ୟ।ଳୟ ପରିସର ମଧ୍ୟରେ ହୋଇ ଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧକ୍ଷା ଅଜନ୍ତା ଶୁଭଦର୍ଶନୀ , ଶିଶୁମଙ୍ଗଳ କମିଟିର ସଭ୍ୟ ସନ୍ତୋଷ ଷଢଙ୍ଗୀ , ରବୀନ୍ଦ୍ର ପ୍ରଧାନ, ଅନିତା ହୋତା ,ବିଜୟ ଲକ୍ଷ୍ମୀ ସାହୁ ,ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ତରଫରୁ କିଶୋର ମାର୍ଥା, କିଶାନ ପଟ୍ଟନାୟକ ,ସ୍ଵାତୀଶ୍ରୀ ପଟ୍ଟନାୟକ , ମହେନ୍ଦ୍ର ଚାଲାଣ ଜିଲ୍ଲା ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ର ପ୍ରତିନିଧି ସାଗର ପଟ୍ଟନାୟକ ଓ ଦୀନ ଦୟାଲ ବଳାଶ୍ରାମ ର ଅନ୍ତୋବାସୀ ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ ।