ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ: ପ୍ରକଳ୍ପରେ ତାଲା ପକାଇ ଦେଲେ ଧାରଣା

ନିମାପଡ଼ା, (ସନ୍ତୋଷ କୁମାର ଦାଶ):ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ନିକଟସ୍ଥ ଭୋଦର ପଞ୍ଚାୟତ ଗୋବିନ୍ଦପୁର ଠାରେ ପାନୀୟ ଜଳ ପ୍ରକଳ୍ପ ବିଭାଗ ପକ୍ଷରୁ ୨ଲକ୍ଷ କ୍ଷମତା ବିଶିଷ୍ଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ବସିଥିଲା। ଏହି ପ୍ରକଳ୍ପରୁ ଭୋଦର, ରାଇବାଗ, ଗୋବିନ୍ଦପୁର, ବେଲପୋଖରୀ ସାହି, ବିଶ୍ୱମାତ୍ରୀ, ବଳଭଦ୍ରପୁର, ଗଡ଼ ଦିହୁଡ଼ିଆ, ବ୍ରହ୍ମପୁର, ଶଙ୍ଖ ପଦା, ନରହରିପୁର ବସନ୍ଧରା ପଡ଼ିଆ, ବଦଳା ଗଣ୍ଡିଆ, ହରିଜନ ସାହି, ମହାରଣା ସାହି, ମୁଣ୍ଡା ସାହି ଆଦି ୧୫ଟି ଗ୍ରାମକୁ ସଂଯୋଗ କରାଯାଇଛି। ପ୍ରକଳ୍ପର କ୍ଷମତା ଅନୁଯାୟୀ ପରିବାର ସଂଖ୍ୟା ଅଧିକ ହୋଇଥିବାରୁ ଏଥୁରୁ ଲୋକମାନେ ପାନୀୟ ଜଳ ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ଏହି ପ୍ରକଳ୍ପ ଅଧୀନରେ ଥିବା ବିଶ୍ଵମାତ୍ରୀ ଗ୍ରାମର ପ୍ରଦୀପ ଦାଶ, ବେଣୁଧର ପରିଡ଼ା, କୈଳାଶ ନାୟକ, ଲକ୍ଷ୍ମୀଧର ନାୟକ, ରଣଜିତ୍ କୁମାର ନାୟକ, ପ୍ରଦୀପ୍ତ ମହାନ୍ତି, ମମତା ନାୟକ, ସ୍ଵର୍ଣ୍ଣଲତା ଦାଶ ଓ ଜମାରାଣୀ ବାରିକଙ୍କ ସମେତ ଶତାଧୁକ ଲୋକ ଧାରଣାରେ ବସିଥିଲେ। ଲୋକମାନେ ଗତ ତିନିମାସରୁ ଉର୍ଦ୍ଧ୍ଵ ହେବ ପାନୀୟ ଜଳ ନପାଇବାରୁ ଆଜି ଶତାଧିକ ପୁରୁଷ ଓ ମହିଳା ପାନୀୟ ଜଳ ପ୍ରକଳ୍ପକୁ ତାଲା ପକାଇ ସମ୍ମୁଖରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ବଳଙ୍କୁ ପଚାରିବାରେ ଏହି ପ୍ରକଳ୍ପରୁ ଲୋକମାନେ ବିଭିନ୍ନ ସ୍ଥାନରେ ପାନୀୟ ଜଳକୁ ଅପବ୍ୟବହାର କରୁଛନ୍ତି। ଯାହା ଫଳରେ ଶେଷ ମୁଣ୍ଡକୁ ପାଣି ପହଞ୍ଚିବାରେ ଅସୁବିଧା ହେଉଛି। ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଚାରୁଲତା ବେହେରା ପହଞ୍ଚି ତୁରନ୍ତ କାର୍ଯ୍ୟ କରାଯିବ ବୋଲି ଲୋକମାନଙ୍କୁ ବୁଝାଇ ସହିତ ଏକ ସପ୍ତାହ ମଧ୍ୟରେ ପାନୀୟ ଜଳ ପ୍ରକଳ୍ପର ମରାମତି କରାଯାଇ ସମସ୍ତ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଲୋକମାନେ ଧାରଣାରୁ ଓହରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ