ଅଞ୍ଜିରା ଓ ପୁରୁଣଶାସନ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଏ.ଆଇ.ଡ଼ି.ଏସ୍.ଓ.ର ବିକ୍ଷୋଭ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବାଲିଅନ୍ତା ବ୍ଲକର ଅଞ୍ଜିରା ଓ ପୁରଣଶାସନ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ତଥା ରାଜ୍ୟ ୧୪,୩୭୯ ସରକାରୀ ବିଦ୍ୟାଳୟ ବନ୍ଦ ହେବା ବିରୁଦ୍ଧରେ ବିଦ୍ୟାଳୟ ସୁରକ୍ଷା କମିଟି ଓ ଏ.ଆଇ.ଡ଼ି.ଏସ୍.ଓ. ଭୁବନେଶ୍ୱର ସିଟି କମିଟି ତରଫରୁ ବାଳକାଟି ବି.ଇ.ଓ. ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ରାଯାଇଛି । ଅଞ୍ଜିରା ଓ ପୁରଣଶାସନ ସରକାରୀ ସ୍କୁଲ୍ରେ ଶତାଧିକ ପରିବାର ସେମାନଙ୍କ ସନ୍ତାନସନ୍ତତିଙ୍କ ଶିକ୍ଷା ପାଇଁ ନିର୍ଭର କରିଥାନ୍ତି । ସାଧାରଣ ଗରିବ ଶ୍ରେଣୀର ଲୋକମାନେ ଆର୍ଥିକ ଅଭାବ ପାଇଁ ଦୂରଦୂରାନ୍ତରଙ୍କୁ ପିଲାଙ୍କୁ ପଠାଇ ପାରନ୍ତି ନାହିଁ । ଏହାଛଡ଼ା ଗମନାଗମନ ତଥା ଅନ୍ୟାନ୍ୟ ପ୍ରାକୃତିକ କାରଣ ପାଇଁ ଦୂରକୁ ପଢିବାକୁ ଯିବାକୁ ଛାତ୍ରଛାତ୍ରୀମାନେ ନିରାପଦ ମନେ କରୁନାହାଁନ୍ତି । ଅଧିକ ସଂଖ୍ୟକ ସ୍କୁଲ୍ ନିର୍ମାଣ ପାଇଁ ରାଜ୍ୟରେ ଦାବି ହେଉଥିବା ବେଳେ ସ୍କୁଲ୍ ବନ୍ଦ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରର ବିଜେପି ସରକାର ପାଦକୁ ପାଦ ମିଳାଇ ସ୍କୁଲ୍ ବନ୍ଦ ନିଷ୍ପତ୍ତି କାର୍ଯ୍ୟକାରୀ କରୁଛନ୍ତି । କେବଳ ଶିକ୍ଷାର ଘରୋଇକରଣ ତଥା ବ୍ୟବସାୟୀକରଣକୁ ତ୍ୱାରାନ୍ୱିତ କରିବା ପାଇଁ ରାଜ୍ୟର ସରକାରୀ ସ୍କୁଲ୍ଗୁଡ଼ିକୁ ବନ୍ଦ କରାଯାଉଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଗରୀବ ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ଡ଼ୋରୀ ବନ୍ଧା ହବାକୁ ବସିଲାଣି । ତୁରନ୍ତ ସରକାର ଏହି ନିଷ୍ପତ୍ତିରୁ କ୍ଷାନ୍ତ ହେବା ପାଇଁ ଏ.ଆଇ.ଡ଼ି.ଏସ୍.ଓ. ଏବଂ ବିଦ୍ୟାଳୟ ସୁରକ୍ଷା କମିଟି ତରଫରୁ ଦାବି କରାଯାଇଛି । ଆଜିର ଏହି ବିକ୍ଷୋଭରେ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ । ବିକ୍ଷୋଭସ୍ଥଳରେ ବାଲିଅନ୍ତା ବ୍ଲକ ବି.ଓ.ଓଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା ଏବଂ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ବିଦ୍ୟାଳୟ ସୁରକ୍ଷା କମିଟି ଏବଂ ଏ.ଆଇ.ଡ଼ି.ଏସ୍.ଓ. ତରଫରୁ ଚେତାବନୀ ଦିଆଯାଇଛି ।


