ବିହନ ପିଣ୍ଡୁଳାରେ ତ୍ରିରଙ୍ଗା ବୃକ୍ଷ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଷ୍ଟ୍ରୀୟ ପର୍ବ ସାଧାରଣତନ୍ତ୍ର ଦିବସକୁ ଉତ୍ସାହ, ଉଦ୍ଦୀପନା ଓ ଟିକେ ନିଆରା ଢଙ୍ଗରେ ପାଳିବା ପାଇଁ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ବିହନ ପିଣ୍ଡୁଳାରେ ତ୍ରିରଙ୍ଗା ବୃକ୍ଷ ତିଆରି କରି ଆସ ଆମେ ପ୍ରକୃତିକୁ ପ୍ରେମ କରିବାର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ-୨ଠାରେ ରହୁଥିବା ଯୁବ ସାମାଜିକ କର୍ମୀ ତ୍ରିରଙ୍ଗା ବୃକ୍ଷ ମଧ୍ୟରେ ଦେଶର ସୈନିକ ଓ କୃଷକମାନଙ୍କୁ ସ୍ଥାନିତ କରି ସେମାନଙ୍କୁ ସମ୍ମାନ ଜଣାଇବା ସହ ବିହନ ପିଣ୍ଡୁଳା ଉପହାର ଦେଇଛନ୍ତି । ମାଟି, ମଞ୍ଜି ଓ ଗୋବର ଖତରେ ପ୍ରସ୍ତୁତ ବିହନ ପିଣ୍ଡୁଳା ବା ସିଡ୍ବଲ୍ କୁ ନିକ୍ଷେପଣ କରାଯାଇ ପତିତ ଜମିରେ କିଭଳି ବନୀକରଣ ସମ୍ଭବ ଓ ସହଜ ହୋଇପାରିଛି ତାହା ସୁଶାନ୍ତ ଏହି ଦିବସରେ ସଚେତନତା କରାଇଛନ୍ତି । ସାଧାରଣତନ୍ତ୍ର ଦିବସରେ ଦେଶର ପ୍ରତ୍ୟେକ ନାଗରିକ ସିଡ୍ବଲ୍ ଜରିଆରେ ପ୍ରକୃତିକୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରନ୍ତୁ ଏବଂ ଏକ ସ୍ୱଚ୍ଛ ଓ ସବୁଜ ଭାରତ ତିଆରି ପାଇଁ ଆଗେଇ ଆସନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି ।


