ଅନନ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ ଗ୍ୟାରେଜ୍ ମେକାନିକ୍ ଗୁରୁ କାଳୀଚରଣ
ଆସିକା (ୱାଇଏନ୍ଏସ୍) : ଶିଷ୍ୟଙ୍କ ଭବିଷ୍ୟତ କେବଳ ଗୁରୁ ହିଁ ଗଢିପାରନ୍ତି । କେବଳ ଶିକ୍ଷାଦାନ ନୁହେଁ ବାସ୍ତବ ଜୀବନରେ ବଞ୍ଚିବାର ବାଟ ହିଁ ବିଭିନ୍ନ ସମୟରେ ଦେଖାଇଥାନ୍ତି ଗୁରୁ । ଏଭଳି ଜଣେ ଗୁରୁ ହେଉଛନ୍ତି ଆସିକାର ଅନନ୍ୟ ପ୍ରତିଭାର ଅଧିକାରୀ କାଳୀଚରଣ ଜେନା (ବୟସ ପ୍ରାୟ ୪୫ ବର୍ଷ) । ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଶିଷ୍ୟମାନଙ୍କୁ ଆତ୍ମନିର୍ଭରଶୀଳ, ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବାକୁ ସେ ଯେଉଁଭଳି ଭାବେ ଅହରହ ପ୍ରୟାସ ଜାରି ରଖିଛନ୍ତି ତାହା ନିଶ୍ଚିତ ଭାବେ ପ୍ରେରଣାଦାୟୀ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଆସିକା କଳିଙ୍ଗରୋଡର ମୁଖ୍ୟରାସ୍ତା ପାଶ୍ୱର୍ରେ ଦୀର୍ଘ ପ୍ରାୟ ତଳେ ସାଇ ଅଟୋ (କାଳୀ ଗ୍ୟାରେଜ୍) ନାମକ ଏକ ବାଇକ୍ ମରାମତି କେନ୍ଦ୍ର ଖୋଲି ସେ ବର୍ତ୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ୍ୱ ବେକାର ଯୁବକଙ୍କୁ କାମ ଶିଖାଇ ବଞ୍ଚିବାର ରାହା ଦେଖାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ଗ୍ରାମର କୃତିବାସ ଜେନା ଏବଂ ପୁଷ୍ପାଞ୍ଜଳୀ ଜେନାଙ୍କ ଦ୍ୱିତୀୟ ପୁତ୍ର କାଳୀଚରଣ ଜେନା ୧୯୯୭ ମସିହାରେ ଆଟିଆଇ ଶିକ୍ଷା ସମାପ୍ତ ପରେ ବାଙ୍ଗାଲୋର ନିକଟସ୍ଥ ମହୀଶୂର ସ୍ଥିତ ଅସରେରେ ଥିବା ଏକ ବାଇକ୍ ପ୍ରସ୍ତୁତକାରୀ ସଂସ୍ଥାରେ କାମ ଶିଖି ଫେରିବା ପରେ ଅତୀତରେ ଦିନକୁ ମାତ୍ର ୩୦ ଟଙ୍କା ରୋଜଗାରରେ କାମ ଶିଖି କିଛି ବର୍ଷ ପରେ ଦୁଇଚକିଆ ଯାନ ମରାମତି କରିବାରେ ସିଦ୍ଧହସ୍ତ ହୋଇଥିଲେ । ଶେଷକୁ ନିଜସ୍ୱ ବାଇକ୍ ମରାମତି ଗ୍ୟାରେଜ୍ ଖୋଲି ଦୁଇଚକିଆ ଯାନବାହାନ ମରାମତି ଆରମ୍ଭ କରିଥିଲେ । ରେଞ୍ଚି ଓ ହାତୁଡି ଧରିବା ସାଙ୍ଗକୁ ମୁଣ୍ଡରେ ବୁଦ୍ଧିବିଦ୍ୟା ଥିଲେ ଯେକୌଣସି ଦୁଇଚକିଆ ଯାନ ମରାମତି ହୋଇପାରିବ ବୋଲି ଦୃଢ ଆଶା ଓ ବିଶ୍ୱାସ ରଖି ଅନନ୍ୟ ପ୍ରତିଭାର ଅଧିକାରୀ କାଳୀଚରଣ ଜେନା ଗାଡି ମରାମତି କରୁଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ତାଙ୍କ ଗ୍ୟାରେଜ୍ରେ ଗ୍ରାହକମାନେ ଆବଶ୍ୟକତା ସମୟରେ ଗାଡି ମରାମତି ପାଇଁ ଲମ୍ବା ଧାଡି ଲଗାଉଥିବା ଦେଖିବାକୁ ମିଳିଛି । ବିଗତ କିଛି ବର୍ଷ ମଧ୍ୟରେ ଅନନ୍ୟ ପ୍ରତିଭାର ଅଧିକାରୀ ଗ୍ୟାରେଜ୍ ମେକାନିକ୍ କାଳୀଚରଣ ଜେନା ଅନେକ ଶିଷ୍ୟଙ୍କ ଭବିଷ୍ୟତ ଗଢିଥିବା ବେଳେ ବର୍ତ୍ତମାନ ବି ବହୁ ଶିଷ୍ୟଙ୍କୁ ଦୁଇଚକିଆ ଯାନ ମରାମତି ଶିକ୍ଷା ଦେଉଥିବା ଦେଖିବାକୁ ମିଳୁଛି । ଜୀବନରେ ଯାହା ବି କରିଛି ଓ ଯେତେ ବାଟ ଆଗେଇଛି ସେ ସବୁର ଶ୍ରେୟ ମୋର ପିତାମାତା ବୋଲି ପ୍ରକାଶ କରିଛନ୍ତି । ଅନନ୍ୟ ପ୍ରତିଭାର ଅଧିକାରୀ ବାଇକ୍ ମେକାନିକ୍ କାଳୀଚରଣ ଜେନାଙ୍କ ବହୁବିଧ ସମର୍ପଣ ଓ ସେବା ମନୋଭାବ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇରହିବ ବୋଲି ସଚେତନ ନାଗରିକ ଓ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର ଜଣାଶୁଣା ଅଭିଜ୍ଞ ତଥା ଧୂରନ୍ଧର ବାଇକ୍ ମେକାନିକ୍ କାଳୀଚରଣ ଜେନା ବାସ୍ତବରେ ଜଣେ ଉତ୍ତମ ମାର୍ଗଦର୍ଶକ ଓ ଜଣେ ସଫଳ ଗୁରୁ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।


