ଭଗବାନ ଶ୍ରୀକୃଷ୍ଣ ଜନ୍ମ ଉପଲକ୍ଷେ ଉତ୍ସବ ମୁଖର ମାଲକାନଗିରି
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଶୁଭ ଜନ୍ମତିଥି ଉପଲକ୍ଷେ ସମଗ୍ର ମାଲକାନଗିରି ଜିଲ୍ଲା ଭକ୍ତିରସରେ ଓତଃପ୍ରୋତ ହୋଇ ଉତ୍ସବ ମୁଖର ହୋଇ ଉଠିଛି।
ଜିଲ୍ଲା ସଦର ମହକୁମା ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଥିବା ଶ୍ରୀକୃଷ୍ଣ ମନ୍ଦିର, ଶିଶୁ ମନ୍ଦିର ସନ୍ନିକଟ କୃଷ୍ଣନଗର ସ୍ଥିତ ଶ୍ରୀ ଶ୍ରୀ ରାଧାମାଧବ ସତସଙ୍ଗ କେନ୍ଦ୍ର, ମଲ୍ଲିକେଶ୍ୱର ସାହି ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ଏବଂ ଏମ୍.ଭି-୭ ସ୍ଥିତ ଇସ୍କନ୍ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଶ୍ରୀକୃଷ୍ଣ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବିଶେଷ ଭାବରେ ଜିଲ୍ଲା ସଦର ମହକୁମା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏହି ପାବନ ପର୍ବ ପାରମ୍ପରିକ ରୀତିନୀତି ଅନୁସାରେ ଭକ୍ତିପୂତ ଭାବରେ ପାଳିତ ହୋଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ରାଧା-କୃଷ୍ଣ ବେଶରେ ସୁସଜ୍ଜିତ କୁନି କୁନି ଭାଇ-ଭଉଣୀମାନଙ୍କୁ ଗୁରୁମା, ଅଭିଭାବିକା ଓ ଗୁରୁଜୀମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଏକ ମନୋରମ ଶୋଭାଯାତ୍ରାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ବିଧିବଦ୍ଧ ପୂଜା, ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇ ବିଶ୍ୱର ମଙ୍ଗଳ ଓ ଶାନ୍ତି କାମନା କରାଯାଇଥିଲା। ପରେ ବିଦ୍ୟାଳୟ ପରିସର ମଧ୍ୟରେ ଗୋପାଳ ବେଶଧାରୀ ଭାଇମାନଙ୍କ ଦ୍ୱାରା ଦଧିଭାଣ୍ଡ ଭଞ୍ଜନର ମନୋଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇ-ଭଉଣୀମାନଙ୍କୁ ଅତିଥିମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପାବନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ମାଲକାନଗିରି ବିଭାଗର ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ ଏବଂ ଅତିଥି ଅଧ୍ୟାପକ ଶ୍ରୀ ଭ୍ରମରବର ମଲ୍ଲିକ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦନା କାର୍ଯ୍ୟକ୍ରମକୁ ଗୁରୁମା ସତ୍ୟସିନୀ ସୁତାର ଓ ସୁମିତ୍ରା ପାଣିଗ୍ରାହୀ ପରିଚାଳନା କରିଥିଲେ। ଶିଶୁ ବାଟିକା ପ୍ରମୁଖ କମଳା ଖିଲ୍, ହସ୍ତିନା ସଗରିଆ, ସୁନତୀ ମହାରଣା, ପ୍ରୀତି ସୋଡି ଓ ଗୁରୁଜୀ ମିଥୁନ ସରକାରଙ୍କ ପ୍ରଯୋଜନାରେ ବାଟିକାର କୁନି କଳାକାରମାନଙ୍କ ଦ୍ୱାରା ‘ଶ୍ରୀକୃଷ୍ଣ ଜନ୍ମ’ ନାଟିକା ସୁନ୍ଦର ଭାବେ ପରିବେଷିତ ହୋଇଥିଲା। ଶେଷରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା


