ଅତୀତରେ ଛାତ୍ରଛାତ୍ରୀଙ୍କୁ ବାଣ୍ଟୁଥିଲେ ଶିକ୍ଷାର ସଂଜୀବନୀ, ଏବେ ମାନସିକ ବିକାରଗ୍ରସ୍ତ
ଆସିକା (ୱାଇଏନ୍ଏସ୍) : ଆଜି ଅର୍ଥାତ୍ ସେପ୍ଟେମ୍ବର ମାସ ୫ ତାରିଖ ଦିନ ପାଳିତ ହେବ ଗୁରୁ ଦିବସ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ବହୁ ବିଦ୍ୟାର୍ଥୀ ଗୁରୁପୂଜନ କାର୍ଯ୍ୟ କରିବା ଲାଗି ବ୍ୟାପକ ପ୍ରୟାସ ଜାରି ରଖିଥିବା ବେଳେ ଏଭଳି ଜଣେ ଅନନ୍ୟ ଗୁରୁ ଅଛନ୍ତି ଯାହାଙ୍କ ଦୁଃଖଦ ଜୀବନ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଅଜବ ବେଶ । କେତେବେଳେ ହାଫ୍ ପ୍ୟାଣ୍ଟ ତ ଅନ୍ୟ କେତେବେଳେ ଫୁଲ୍ପ୍ୟାଣ୍ଟ ପିନ୍ଧୁଥିବା ଜଣେ ବ୍ୟକ୍ତି ବିଗତ କିଛି ମାସ ହେଲା ଆସିକା ପୌର ପରିଷଦ ପରିସରଭୁକ୍ତ ବିଭିନ୍ନ ସାହିବସ୍ତିରେ ସୁୁରୁଜ ଉଇଁବା ଠାରୁ ଆରମ୍ଭ କରି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ସହରର ସଚେତନ ନାଗରିକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଏହି ବ୍ୟକ୍ତି ଜଣକ କିଏ । ଶେଷରେ ଜଣାପଡିଲା ସେ ହେଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ଅତୀତରେ ସେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାର ଆଲୋକ ସଦୃଶ ଶିକ୍ଷାର ସଂଜୀବନୀ ବାଣ୍ଟି ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରି ଜଣେ ପ୍ରତିଭାବାନ୍ ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିଲେ । ତେବେ ବିଗତ କିଛି ବର୍ଷ ତଳେ କୌଣସି କାରଣରୁ ସେ ମାନସିକ ବିକାରଗ୍ରସ୍ତ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି । ରାସ୍ତା ମଝିରେ ଠିଆ ହୋଇ ଅନର୍ଗଳ ତଥା ନିର୍ଭୁଲ ଭାବେ ଇଂରାଜୀ ଓ ସଂସ୍କୃତ ଏବଂ ଓଡିଆ ଭାଷାରେ ବହୁ ଉପାଦେୟ କଥା ଏକାକୀ ହେଉଥିବା ଦେଖିବାକୁ ମିଳୁଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର କ୍ଳଷ୍ଟରର ପଣସପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ତଳେ କାମ କରୁଥିବା ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲ ନିଜର ଶିକ୍ଷକତା କର୍ମମୟ ଜୀବନ ସମୟରେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବା ଦିଗରେ ସେ ତିଳେମାତ୍ର ଅବହେଳା କରିନଥିବା ଏବେବି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏପରିକି ନିଜ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ହାତଧରି ଚକ୍ଖଡି ମାଧ୍ୟମରେ ଲେଖିବା ଶିଖାଇବା ଠାରୁ ଆରମ୍ଭ କରି ପଣିକିଆ ପର୍ଯ୍ୟନ୍ତ ଗୋଟି ଗୋଟି କରି ଅତି ସୁନ୍ଦର ଭାବେ ବୁଝାଉଥିଲେ । ଯାହା ଦୀର୍ଘ ବର୍ଷ ତଳେ ତାଙ୍କର ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ପଣ ମନୋଭାବର ଏକ ପ୍ରେରଣାର ଉତ୍ସ ହୋଇଥିଲା । ପଣସପଲ୍ଲୀ ଗ୍ରାମ ପରିସରଭୁକ୍ତ ଅଞ୍ଚଳର ବଣମଲ୍ଲୀକୁ ସାଉଁଟିଆଣି ତାହାର ମହକ ବିସ୍ତାର କରିବାରେ ସେ ଥିଲେ ଜଣେ ପ୍ରମୁଖ ଗୁରୁ । ଦୀର୍ଘ ବର୍ଷ ତଳେ ପଣସପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲ ଜଣେ ପ୍ରତିଭାବାନ୍ ଗୁରୁ ସାଙ୍ଗକୁ ସ୍ନେହୀ ଓ ପରୋପକାରୀ ମଣିଷ ଭାବେ ବେଶ୍ ପରିଚିତ ଥିଲେ । ନିଜ ବିଦ୍ୟାଳୟରେ ନିଜର ଗୁରୁ ଦାୟିତ୍ୱକୁ ଅତୀତରେ ଶିକ୍ଷକ ବିନୋଦ କୁମାର ସାମଲ ସଠିକ୍ ଭାବେ ତୁଲାଇବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନୈତିକ ଶିିକ୍ଷା ପାଇଁ ସଦାସର୍ବଦା ଦୃଷ୍ଟି ଦେଉଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର କ୍ଳଷ୍ଟରର ପଣସପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲ ବିଗତ କିଛି ବର୍ଷ ତଳେ କୌଣସି କାରଣରୁ ମାନସିକ ବିକାରଗ୍ରସ୍ତ ହୋଇପଡିଥିଲେ । ଦୀର୍ଘ ଦିନ ହେଲା ଆସିକା ସହରର ବିଭିନ୍ନ ସାହିବସ୍ତିକୁ ଖରାବର୍ଷା ଶୀତ କାକରକୁ ତିଳେମାତ୍ର ଖାତିର୍ ନକରି ଘୁରି ବୁଲିବା ସାଙ୍ଗକୁ କେତେ ବେଳେ ମନକୁ ମନ ହସୁଛନ୍ତି ତ ଆଉ କେତେବେଳେ ଭୀଷଣ ରାଗିଯାଇ ଚିତ୍କାର ସହ ପାଟି କରୁଛନ୍ତି ଓ ଅନ୍ୟ କେତେବେଳେ ନିଜେ ନିଜେ ଏକାକୀ ରାସ୍ତାରେ ନାଚୁଥିବା ଦେଖିବାକୁ ମିଳୁଛି । ଦୁନିଆଁ କଣ ବୁଝିବାକୁ ସେ ସାଂପ୍ରତିକ ପରିସ୍ଥିତିରେ ଅସମର୍ଥ ହୋଇପଡିଛନ୍ତି । ଦଇବର ନିଷ୍ଠୁରତା ଆଗରେ ବନ୍ଧାପଡିଯାଇଛି ପ୍ରତିଭାବାନ୍ ଭାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲଙ୍କ ଭବିଷ୍ୟତ । ସେ ମାନସିକ ନିୟନ୍ତ୍ରଣ ହରାଇ ବସିଥିବା ଦେଖିବାକୁ ମିଳୁଛି । ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିବା ବିନୋଦ କୁମାର ସାମଲଙ୍କୁ ଏବେ ୬୨ ବର୍ଷ ହୋଇସାରିଥିଲା ବେଳେ ସେ କେତେବର୍ଷ ସରକାରୀ ଚାକିରୀ କରିଛନ୍ତି ତାହାର ହିସାବ କାହାରି ପାଖରେ ନାହିଁ । ମାନସିକ ବିକାରଗ୍ରସ୍ତ ହେବା ପରେ ଭାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲଙ୍କ ଭାଗ୍ୟରେ ସବୁ ଓଲଟ ପାଲଟ ହୋଇଯାଇଛି ଓ ତାଙ୍କ ବିଡମ୍ବିତ ଦୁଃଖଭରା ଜୀବନ ସ୍ୱଚକ୍ଷରୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଆସିକା ବ୍ଳକ ଅନ୍ତର୍ଗତ ବାଙ୍ଗରଡା ଗ୍ରାମ ପଞ୍ଚାୟତର ପଣସପଲ୍ଲୀ ଗ୍ରାମର ଉଚ୍ଚଶିକ୍ଷିତ ବିନୋଦ କୁମାର ସାମଲଙ୍କ ଉପରେ କିଛି ବର୍ଷ ତଳେ ଲଦି ହୋଇପଡିଥିଲା ଦୁଃଖର ପାହାଡ ଓ ସେ ହଠାତ୍ ମାନସିକ ବିକୃତ ହୋଇଯାଇଥିଲେ । ବିଗତ କିଛି ମାସ ହେଲା ମାନସିକ ବିକାରଗ୍ରସ୍ତ ଭାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ସାଙ୍ଗକୁ ସାଂପ୍ରତିକ ପରିସ୍ଥିତିରେ ଶୀତୁଆ ରାତିରେ ଖୋଲା ଆକାଶ ତଳେ କିପରି ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏପରିକି ବିଭିନ୍ନ ସମୟରେ ଉଚ୍ଚଶିକ୍ଷିତ ମାନସିକ ବିକାରଗ୍ରସ୍ତ ଭାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲ ନିଜର ପରିଚିତ ଲୋକଙ୍କୁ ସହାୟତା ମାଗୁଥିବା ଏବଂ ଶୁଭେଚ୍ଛୁମାନେ ନିଜ ସାମର୍ଥ୍ୟ ଅନୁସାରେ ଯାହା ସାହାଯ୍ୟ କରୁଛନ୍ତି ସେତିକିରେ ଖୁସିରେ ଦିନ କାଟୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ମାନସିକ ବିକାରଗ୍ରସ୍ତ ଉଚ୍ଚଶିକ୍ଷିତ ଭାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ କୁମାର ସାମଲଙ୍କ ଚିକିତ୍ସା ବ୍ୟବସ୍ଥା କରି ତାଙ୍କୁ ସୁସ୍ଥ କରି ସାଧାରଣ ଜୀବନକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।


