ଅନୁଙ୍କୁ ବିବାଦ ପିଛା ଛାଡ଼ୁନି
“ଇଣ୍ଡିଆନ୍ ଆଇଡଲ୍’ର ଜଜ୍ ସିଟ୍ରେ ଥିବା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । “ମି ଟୁ’ ବିବାଦ ତାଙ୍କ ପିଛା ଛାଡ଼ୁନି । ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗିବା ପରେ ଶୋ’ର ନୂଆ ସିଜିନକୁ ଜଜ୍ ଭାବେ କମ୍ବ୍ୟାକ୍ କରିବା ପରଠାରୁ ତାଙ୍କୁ ନେଇ ବିବାଦ ଦେଖାଯାଇଛି । ବିଶେଷ କରି ଗାୟିକା ସୋନା ମହାପାତ୍ର ତାଙ୍କ ବିରୋଧରେ ଅଭିଯାନ ଚଲାଇଛନ୍ତି । ସୋନାଙ୍କୁ ସମର୍ଥନ କରି କିଛି ଦିନ ତଳେ ଗାୟିକା ନେହା ଭାସିନ ମଧ୍ୟ ଅନୁଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଲଗାଇଥିଲେ । ବର୍ତ୍ତମାନ ଏ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯୌନ ଉତ୍ପୀଡ଼ନ ଅଭିଯୋଗରେ ୧୯୯୬ରେ ଅନୁଙ୍କୁ କୋର୍ଟକୁ ଟାଣିଥିଲେ ଗାୟିକା ଅଲିଶା ଚିନାଇ, ଯାହାର ସମାଧାନ କିଛି ବର୍ଷ ପରେ ହୋଇଯାଇଥିଲା । ଏହାପରେ “ମି ଟୁ’ ଅଭିଯାନ ବେଳେ ସାନାଙ୍କ ସହିତ ଶ୍ୱେତା ପଣ୍ଡିତ୍ ସମେତ ଆଉ କିଛି ମହିଳା ତାଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣିଥିଲେ ।
କିଛି ଦିନ ତଳେ ଅନୁ ଏ ଘଟଣା ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ । ସେ ଏକ ଲମ୍ବା ଓପନ ଲେଟର୍ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଯେଉଁ କାମ ସେ କରିନାହାଁନ୍ତି, ସେ ନେଇ ଗତ ୧ ବର୍ଷ ହେଲା ତାଙ୍କ ଉପରେ ଅଭିଯୋଗ ଲଗାଯାଉଛି । ଫଳରେ ତାଙ୍କ ଭାବମୂର୍ତ୍ତି ଖରାପ ହେବା ସହ ତାଙ୍କ ପରିବାରର ମାନସିକ ଶାନ୍ତି ଭଙ୍ଗ ହୋଇଛି ।


