ଅନ୍ୟ ଦଳରୁ ଟଙ୍କା ନେଇ ପିସିସି ସଭାପତି ପରିବର୍ତ୍ତନ ପାଇଁ ସ୍ୱର ଉଠାଉଛନ୍ତି ନେତା: ତାରା
ଭୁବନେଶ୍ୱର : ସାରା ଦେଶରେ କଂଗ୍ରେସର ସ୍ଥିତି ଖରାପ । ଓଡ଼ିଶାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କି କାର୍ଯ୍ୟ କରିପାରିଲେନି ଯେ ତାଙ୍କୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରାଯାଉଛି । ପିସିସି ସଭାପତି ପରିବର୍ତ୍ତନ ନେଇ ଗୋଟିଏ ଗୋଷ୍ଠୀ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ଏପରି ଯୁକ୍ତି ଦର୍ଶାଇଛନ୍ତି । ସଭାପତି ପରିବର୍ତ୍ତନ ନେଇ ଯେଉଁମାନେ କହୁଛନ୍ତି, ସେମାନେ କେତେ ଥର ନିର୍ବାଚନ ଜିତିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଖୋଲାଖୋଲି କହିଛନ୍ତି, ପିସିସି ସଭାପତି ଭାବେ ନିରଞ୍ଜନ ବାବୁ ବହୁ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି । ଯେଉଁମାନେ ଏବେ ତାଙ୍କୁ ହଟାଇବାକୁ କହୁଛନ୍ତି, ସେମାନେ କେବେ ବି କଂଗ୍ରେସ କର୍ମୀ ନୁହନ୍ତି । ସଭାପତି ପରିବର୍ତ୍ତନ ନେଇ ସେ କେବେ ବି ଏ ମେଳିରେ ସାମିଲ ହେବେନି । ଅନ୍ୟପଟେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କୁ ଅସନ୍ତୁଷ୍ଠ ଗୋଷ୍ଠୀ ଭେଟି ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ସମର୍ଥନ ଲୋଡ଼ିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି । ଏହି ଗୋଷ୍ଠୀର ଦିଲ୍ଲୀ ଗସ୍ତ ନେଇ ବିଧାୟକ ଶ୍ରୀ ବାହିନୀପତି ପ୍ରଶ୍ନ ଉଠାଇଛନ୍ତି । ସେ କହିଥିଲେ, “ଏମିତି ଦୁଆର ଦୁଆର ବୁଲି କିଛି ଲାଭନାହିଁ’ । ଏକଥା ସତ, ଦଳର ସ୍ଥିତି ସାରା ଭାରତରେ ଭଲ ନାହିଁ । ଏପରି ଟଣାଓଟରା ଯୋଗୁଁ ଓଡ଼ିଶାରେ ଆଜିକୁ ୨୦ ବର୍ଷ ହେଲାଣି ଦଳ ଲୋକଙ୍କ ବିଶ୍ୱାସ ଜିତିପାରୁନି । ଏଆଇସିସିରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ଯେତେ ଯାହା ହେଲେ ବି ନିରଞ୍ଜନ ବାବୁ ସଭାପତି ରହିବେ । ଦିଲ୍ଲୀ ଯାଇ ପିସିସି ସଭାପତି ପରିବର୍ତ୍ତନ ନେଇ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯେଉଁମାନେ ସମୟ ମାଗିଛନ୍ତି, ସେମାନେ କେତେଥର ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି ବୋଲି ତାରା ପ୍ରଶ୍ନ କରିଥିଲେ । ଯଦି କିଛି ସମସ୍ୟା ଅଛି, ସେଥିପାଇଁ ଦିଲ୍ଲୀ ନ ଯାଇ ଏଠି ଆଲୋଚନା କରିବାକୁ ଶ୍ରୀ ବାହିନୀପତି ପରାମର୍ଶ ଦେଇଥିଲେ । ଯେଉଁମାନେ ଦିଲ୍ଲୀ ଯିବା ନେଇ ସ୍ଥିର କରିଛନ୍ତି ସେମାନେ ଅନ୍ୟ ଦଳରୁ ଅର୍ଥ ନେଇ ଏପରି ପ୍ରୟାସ କରୁଛନ୍ତି । ଅସନ୍ତୁଷ୍ଟ ମେଳିଙ୍କୁ ଟାର୍ଗେଟ କରି ତାରା ସିଧାସିଧା କହିଲେ, ଏପରି କରିବା ଦ୍ୱାରା ଦଳ ବରବାଦ ହେବ । ଦଳର ପ୍ରତିଛବି ମଳିନ ପଡ଼ିବା ସହ ଲୋକେ କେବେ ବି ସେମାନଙ୍କୁ କ୍ଷମା ଦେବେନି । କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ ଉପରେ ପ୍ରତିକ୍ରିୟା ରଖି ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ସେ କେବେ ବି ଏହି ମେଳି ସହ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ଯିବେନି । ସେ ଏପରି ଛୋଟକାଟିଆ କାମ କରନ୍ତିନି । ଦଳର ଯେଉଁ ନେତାମାନେ ହୋଟେଲରେ ବୈଠକ କରି ପ୍ରସ୍ତାବ ପାରିତ କରିଛନ୍ତି ବୋଲି କହୁଛନ୍ତି, ସେମାନେ କଂଗ୍ରେସର ନୁହନ୍ତି କିମ୍ବା ଦଳ ସହ କେବେ ବି ନଥାନ୍ତି । ନିର୍ବାଚନରେ ଦଳର ବିପର୍ଯ୍ୟୟ ନେଇ ପୂର୍ବରୁ ପିସିସି ସଭାପତି ପଦରୁ ନିରଞ୍ଜନ ବାବୁ ଇସ୍ତଫା ଦେଇସାରିଛନ୍ତି । ବିକଳ୍ପ ବ୍ୟବସ୍ଥା ନ ହେବା ଯାଏଁ ଶ୍ରୀ ପଟ୍ଟନାୟକ ଦଳର ନେତୃତ୍ୱ ଦାୟିତ୍ୱରେ ରହିବାକୁ ଖୋଦ୍ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଦାୟିତ୍ୱ ଦେଇଛନ୍ତି । ସେ ଜଣେ ଦଳର ସଚ୍ଚୋଟ କର୍ମୀ । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ଓଡ଼ିଶାରେ ପିସିସି ସଭାପତି କରିବେ ତାଙ୍କ ନିର୍ଦ୍ଦେଶରେ ସେ କାମ କରିବେ ବୋଲି ରୋକଠୋକ୍ ଶ୍ରୀ ରାଉତରାୟ କହିଥିଲେ । ସେପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ ସମର୍ଥନ ଯୋଗାଡ଼ କରିବାକୁ ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଥିଲେ କଂଗ୍ରେସ ନେତା ସନତ୍ ଦାସ । ଏ ସମ୍ପର୍କରେ ମୁହଁ ଖୋଲି ଖୋଦ୍ ଶ୍ରୀ ବିଶ୍ୱାଳ କହିଥିଲେ, ନିରଞ୍ଜନ ବାବୁଙ୍କୁ ପିସିସି ସଭାପତି କରିବାକୁ ଆମେ ସମସ୍ତେ ଉଦ୍ୟମ କରିଥିଲୁ । ଏବେ ଦଳର ସ୍ଥିତି ଯାହା ତା ନ କହିବା ଭଲ । ତାଙ୍କର ଯାହା କହିବା କଥା, ସେ ଦିଲ୍ଲୀରେ ଏଆଇସିସି ସଭାନେତ୍ରୀଙ୍କୁ ଜଣାଇବେ ।


