ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ୩୧ ପଞ୍ଚାୟତରେ ହିତାଧିକାରୀ ଚୟନ ତଦନ୍ତ
ହାଟଡିହି (ଓ୍ବାଇଏନଏସ) : ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଏବେ ଜୋର୍ ଧରିଛି। ହାଟଡିହି ବ୍ଲକ୍ରେ ଆବେଦନ ତାଲିକା ପ୍ରକାଶ ପାଇବା ପରେ ଏବେ ଯୋଗ୍ୟ ପରିବାର ତାଲିକା ଚୂଡ଼ାନ୍ତ କରିବା ପାଇଁ ପ୍ରତି ପଞ୍ଚାୟତରେ ୩/୪ ଜଣିଆ ଟିମ ଘରକୁ ଘର ବୁଲି ତଦନ୍ତ ଚଳାଇଛନ୍ତି। ଯୋଗାଣ ଅଧିକାରୀ, ଯନ୍ତ୍ରୀ, ପିଇଓ, ଏଡିଓ ଏବଂ ବିଏଫଟି ମାନଙ୍କୁ ନେଇ ୩୧ଟି ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖ ମଧ୍ୟରେ ଚୂଡାନ୍ତ ତାଲିକା ଦେବା ପରେ ଗ୍ରାମ ସଭା ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ବିପିସି ଆଲୋକ ନାୟକ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଚଳିତ ବର୍ଷ ହାଟଡିହି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ୧୬,୯୮୭ଜଣ ହିତାଧିକାରୀ ଆବେଦନ କରିଛନ୍ତି ଏବଂ ହିତାଧିକାରୀ ଚୟନ ପାଇଁ ଏବେ ପ୍ରତି ପଞ୍ଚାୟତରେ ୩ ରୁ ୪ଜଣିଆ ଟିମ ତଦନ୍ତ କରୁଛନ୍ତି । ଏବେବି ପ୍ରତିଦିନ ଶହ ଶହ ଲୋକ ତାଙ୍କ ନାମ ତାଲିକାରେ ନଥିବା ଦର୍ଶାଇ ବ୍ଲକକୁ ଦୌଡୁଛନ୍ତି। ପଞ୍ଚୁଗୋଛିଆ ପଞ୍ଚାୟତରେ ସର୍ବାଧିକ ୧୦୪୪ ଜଣ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଆବେଦନ କରିଥିବା ବେଳେ ସମଣା ପଞ୍ଚାୟତରେ ୯୨୩ ଜଣ, ବଞ୍ଚୋ ପଞ୍ଚାୟତରେ ୯୧୫ ଜଣ, କେ.ବାଲିପାଳ ପଞ୍ଚାୟତରେ ୮୦୦ ଜଣ, ମରୈଗାଁ ପଞ୍ଚାୟତରେ ୭୬୬ ଜଣ, ପଢ଼ିଆରୀପଲ୍ଲୀ ପଞ୍ଚାୟତରେ ୭୩୨ଜଣ, ଢେଙ୍କା ପଞ୍ଚାୟତରେ ୬୯୩ ଜଣ, ଆମ୍ବୋ ପଞ୍ଚାୟତରେ ୬୪୩, ବାଲିବରେଇ ପଞ୍ଚାୟତରେ ୬୨୭ ଜଣ, ହାବଳେଶ୍ୱର ପଞ୍ଚାୟତରେ ୬୧୮ଜଣ ଏପରି ସବୁ ପଞ୍ଚାୟତରୁ ଶହ ଶହ ଲୋକ ଆବାସ ଘର ପାଇଁ ଆବେଦନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ତାଲିକା ପ୍ରକାଶ ପାଇବା ପରେ ପ୍ରତି ପଞ୍ଚାୟତରୁ ପୁଳା ପୁଳା ଅଭିଯୋଗ ଆସୁଛି। ପୂର୍ବରୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ମାଇନିଂ ଘର, ବିଜୁ ପକ୍କା ଘର ଭଳି ଯୋଜନାରେ ଘର ପାଇଥିବା ଲୋକେ ଏବେ ପୁଣି ଭିନ୍ନ ଭିନ୍ନ ନାମରେ ଘର ପାଇଁ ଆବେଦନ କରିଛନ୍ତି। ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ହାଟଡିହି ବ୍ଲକରେ ୨୦୫୬୨ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନ ହୋଇଥିବା ବେଳେ ୯୪୦୦ ଖଣି ପ୍ରଭାବିତ ବିଜୁ ପକ୍କାଘର, ଘର, ୫୦୦୦ରୁ ଉର୍ଦ୍ଧ୍ଵ ବିଜୁ ପକ୍କାଘର ଓ ୧୫୦୦୦ ପାଖାପାଖି ଇନ୍ଦିରା ଆବାସ ଘର ବଣ୍ଟନ ହୋଇଥିଲା। ଏବେ ଏତେ ପରିମାଣର ଘର ଆବେଦନ ହୋଇଥିବାରୁ ଗାଁ ଗାଁ ବୁଲି ତଦନ୍ତ କରି ପ୍ରକୃତ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯିବା କଷ୍ଟ ସାଧ୍ୟ ବୋଲି କୁହା ଯାଉଛି। ଅନ ଲାଇନ ରେ ଆବେଦନ କରିଥିବା ଯୋଗୁଁ ଅଧିକାଂଶ ଅଯୋଗ୍ୟ ହିତାଧିକାରୀ ଆବେଦନ କରିଥିବା ଅନୁମାନ କରା ଯାଉଛି। ଏତେ ସଂଖ୍ୟକ ଆବେଦନ ହୋଇଥିବାରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚୟନ କରିବାରେ ସ୍ୱଚ୍ଛତା ସ୍ୱଚ୍ଛତା ରହିଵା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଚୂଡାନ୍ତ ତାଲିକା ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ରଞ୍ଜନ କୁମାର ପରିଡା କହିଛନ୍ତି।


