‘ଅପର କଟ୍’ ରହସ୍ୟ ଉନ୍ମୋଚନ କଲେ ତେନ୍ଦୁଲକର
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କଷ୍ଟକର, ବିପଜ୍ଜନକ ହେଲେ ଅତ୍ୟନ୍ତ ଲୋକପ୍ରିୟ ‘ଅପରକଟ୍’ ସଟ୍ର ସ୍ରଷ୍ଟା ମାନ୍ୟତା ମିଳେ। ଏହି ବିତର୍କିତ ଅପରକଟ୍ ଖେଳିବା ପୂର୍ବରୁ ସଚିନ କିନ୍ତୁ କେବେ ବି ଏହି ସଟ୍ର ଅଭ୍ୟାସ କରିନଥିଲେ କିମ୍ବା ଯୋଜନାବଦ୍ଧ ଭାବେ ଏହାକୁ କାମରେ ଲଗାଇ ନଥିଲେ। ବରଂ ସ୍ବତଃପ୍ରବୃତ ଭାବେ ଏବଂ ଅଚାନକ ଏଭଳି ଏକ ସଟ୍ ଖେଳିଥିଲେ ସେ। ଏକଥା ନିଜେ ସଚିନ ଉନ୍ମୋଚନ କରିଛନ୍ତି। ୨୦୦୨ ମସିହାର ଦକ୍ଷିଣ ଆଫ୍ରିକା ଗସ୍ତରେ ହିଁ ଏହି ପ୍ରସିଦ୍ଧ ସଟ୍ ଖେଳିବାକୁ ଚିନ୍ତା କରିଥିଲେ ବୋଲି ୟୁ ଟ୍ୟୁବରେ ପ୍ରକାଶ କରିଥିବା ଏକ ଭିଡିଓରେ ଲିଟିଲ ମାଷ୍ଟର କହିଛନ୍ତି। ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମରେ ଅନୁରାଜ ଆନ୍ଦେ ନାମକ ଜଣେ ପ୍ରଶଂସକ କରିଥିବା ପ୍ରଶ୍ନର ଉତ୍ତର ଦେଇ ସଚିନ ଏହି ସଟ୍ ଅଚାନକ ତାଙ୍କ ମନକୁ ଆସି ଯାଇଥିଲା ବୋଲି ମତ ଦେଇଥିଲେ। ‘‘୨୦୦୨ ମସିହାର ଦକ୍ଷିଣ ଆଫ୍ରିକା ଗସ୍ତରେ ବ୍ଲୋଏମଫଣ୍ଟିନଠାରେ ଆମେ ଏକ ଟେଷ୍ଟ୍ ମ୍ୟାଚ୍ ଖେଳୁଥିଲୁ। ଆମେ ପ୍ରଥମେ ବ୍ୟାଟିଂ କରୁଥିଲୁ ଏବଂ ମଖୟା ଏନ୍ଟିନି ରାଉଣ୍ଡ ଦ ଷ୍ଟମ୍ପ୍ ବୋଲିଂ କରୁଥିଲେ। ସେ ସାଧାରଣତଃ ସଟ୍ ଅଫ୍ ଲେନ୍ଥ୍ ବଲ୍ ପକାଇବାକୁ ଭଲ ପାଆନ୍ତି। ଏନ୍ଟିନି କ୍ବଚିତ ଲେନ୍ଥ ବଲ୍ ବୋଲିଂ କରନ୍ତି। ସେ କ୍ରିଜ୍ ବାହାରୁ ରନ୍ ଅପ୍ ନେଉଥିବାରୁ ମୁଁ ଲାଇନ୍ ପରଖି ନେଉଥିଲି। ଦକ୍ଷିଣ ଆଫ୍ରିକା ପିଚ୍ ମଧ୍ୟ ଯଥେଷ୍ଟ ବାଉନ୍ସ ପ୍ରଦାନ କରିଥାଏ। ସାଧାରଣତଃ ଏଭଳି ବାଉନ୍ସର ଖେଳିବା ବେଳେ ବ୍ୟାଟର୍ ବଲ୍ ଉପରେ ସଟ୍ ଖେଳିବାକୁ ପସନ୍ଦ କରନ୍ତି। କିନ୍ତୁ ମୋ ଉଚ୍ଚତା କମ୍ ଥିବାରୁ ବଲ୍ ତଳେ ବ୍ୟାଟ୍ ରଖି ସଟ୍ ଖେଳିବା କଥା ମୁଁ ଚିନ୍ତା କରିଥିଲି। ଏହା ଦ୍ବାରା ଲାଇନ୍ ଦେଖିବା ମଧ୍ୟ ମୋ ପାଇଁ ସହଜ ହେଉଥିଲା’’ ବୋଲି ୪୭ ବର୍ଷୀୟ ସଚିନ ମନ୍ତବ୍ୟ ଦେଇଥିଲେ।


