ଅର୍ଥନୀତି ଆହୁରି ଧିମେଇଲା,କାମ ଦେଉନି ସରକାରୀ ପ୍ୟାକେଜ୍, ୪.୫ ପ୍ରତିଶତକୁ ଖସିଲା ଅଭିବୃଦ୍ଧି

ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ପରିମାପକ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହାର ତ୍ରୟମାସ ପରେ ତ୍ରୟମାସ ନିମ୍ନମୁଖୀ ହେବାରେ ଲାଗିଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ତଳକୁ ଖସି ୪.୫ ପ୍ରତିଶତ ରହିଛି । ଗତ ସାଢ଼େ ୬ ବର୍ଷ ବା ୨୬ଟି ତ୍ରୟମାସ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଖସିଯାଇଛି ।
ଜିଡିପି ଅଭିବୃଦ୍ଧି ପ୍ରଥମ ତ୍ରୟମାସ ତୁଳନାରେ କମ୍ ରହିବ ବୋଲି ଅର୍ଥନୀତିଜ୍ଞ ଏବଂ ବିଭିନ୍ନ ସଂସ୍ଥା ଆକଳନ କରିଥିଲେ । ଏପରିକି ଏହା ୪.୨ ପ୍ରତିଶତରୁ ୪.୭ ପ୍ରତିଶତରେ ରହିବ ବୋଲି ସେମାନେ ଦର୍ଶାଇଥିଲେ । ଅର୍ଥନୀତିଜ୍ଞମାନଙ୍କ ଆକଳନ ସତରେ ପରିଣତ ହୋଇଛି । ପ୍ରଥମ ତ୍ରୟମାସ ତୁଳନାରେ ଜିଡିପି ଅଭିବୃଦ୍ଧି ୦.୫ ପ୍ରତିଶତ କମ୍ ରହିଛି । ଏହା ପୂର୍ବରୁ ୨୦୧୨-୧୩ ଆର୍ଥିକ ବର୍ଷର ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୪.୩ ପ୍ରତିଶତ ରହିଥିଲା । କିନ୍ତୁ ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଦେଶର ଜିଡିପି ୭ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା । ତେଣୁ ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ୨.୫ ପ୍ରତିଶତ କମିଯାଇଛି । ବିଶେଷକରି ମାନୁଫାକଚରିଂ, କୃଷି ଏବଂ ନିର୍ମାଣ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଅର୍ଥନୀତିରେ ଏଭଳି ମନ୍ଥର ସ୍ଥିତି ଦେଖାଦେଇଛି । ଏନ୍ଏସ୍ଓ ରିପୋର୍ଟରୁ ଜଣାଯାଇଛି, ମାନୁଫାକଚରିଂ କ୍ଷେତ୍ରର ଜିଭିଏ (ମୋଟ ମୂଲ୍ୟ ଯୋଗ) ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସରେ ୧ ପ୍ରତିଶତ ସଙ୍କୁଚିତ ହୋଇଛି । ବର୍ଷକ ପୂର୍ବେ ଏହା ୬.୯ ପ୍ରତିଶତ ରହିଥିଲା । ସେହିଭଳି କୃଷି କ୍ଷେତ୍ରର ଜିଭିଏ ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ୪.୯ ପ୍ରତିଶତ ରହିଥିବାବେଳେ ଚଳିତବର୍ଷ ଦ୍ୱିତୀୟ ତ୍ରୟମାସରେ ଏହା ୨.୧ ପ୍ରତିଶତକୁ ହ୍ରାସ ପାଇଛି । ସେହିଭଳି ନିର୍ମାଣ କ୍ଷେତ୍ରର ଜିଭିଏ ଉପରୋକ୍ତ ସମୟ ମଧ୍ୟରେ ୮.୫ ପ୍ରତିଶତ ପରିବର୍ତ୍ତେ ୩.୩ ପ୍ରତିଶତକୁ କମିଛି । ତେବେ ଖଣି କ୍ଷେତ୍ର ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ସଙ୍କୁଚିତ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଏହା ୦.୧ ପ୍ରତିଶତ ହାରରେ ବଢ଼ିଛି । ସରକାର ଅତୀତରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏକାଧିକ ପଦକ୍ଷେପ ଘୋଷଣା କରି ସାରିଛନ୍ତି । କର୍ପୋରେଟ୍ ଟିକସକୁ କମାଇବାଠାରୁ ଆରମ୍ଭ କରି ବିଦେଶୀ ନିବେଶକଙ୍କ ଟିକସ ହାରକୁ ହ୍ରାସ କରିବା, ରିଅଲ ଇଷ୍ଟେଟ ପାଇଁ ପାଣ୍ଠି ଘୋଷଣା ସହିତ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ଯୋଗାଣ ଏବଂ ଏକାଧିକ ରାଷ୍ଟ୍ରାୟତ୍ତ କମ୍ପାନିର ଘରୋଇକରଣ ଘୋଷଣା କରିସାରିଛନ୍ତି । ତେବେ ଏସବୁ ଔଷଧ ଅର୍ଥନୀତିର ମାନ୍ଦାବସ୍ଥାକୁ କାଟୁ କରୁନାହିଁ । ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ୮ଟି ପ୍ରମୁଖ ଭିତ୍ତିଭୂମି ଶିଳ୍ପର ଅଭିବୃଦ୍ଧି ୫.୮ ପ୍ରତିଶତ ସଙ୍କୁଚିତ ହୋଇଥିବା ଜଣାଯାଇଛି । ମାନ୍ଦାବସ୍ଥାରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ ଚଳିତବର୍ଷ ରିଜର୍ଭ ବ୍ୟାଙ୍କ ଏକାଧିକ ଥର ସୁଧ ହାର ହ୍ରାସ କରିଛି । ଏହା ସତ୍ତେ୍ୱ ଅର୍ଥନୀତି ଆହୁରି ତଳକୁ ଖସିଥିବାରୁ ଡିସେମ୍ବରରେ ରିଜର୍ଭ ବ୍ୟାଙ୍କ ସୁଧ ହାର ଆହୁରି କମାଇବ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ