ଅସହାୟ ପିଲାଙ୍କ ପଢ଼ାଖର୍ଚ୍ଚ ତୁଲାଉଛନ୍ତି ଚା’ ବିକାଳି
ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କାନପୁରର ଜଣେ ଚା’ ବିକାଳି । ନିଜର ସ୍ୱଳ୍ପ ଆୟରୁ ସେ କିଭଳି ନିଜ ପରିବାର ସହ ପାଠ ପଢ଼ିବା ପାଇଁ ଟଙ୍କା ପାଉ ନଥିବା ପିଲାଙ୍କ କଥା ବୁଝୁଛନ୍ତି, ତାହା ତାଙ୍କୁ ଚର୍ଚ୍ଚିତ କରାଇଛି । ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଏହି ଯୁବକଙ୍କ କାହାଣୀକୁ ଟୁଇଟ୍ କରି ଜଣାଇବା ପରେ ତାଙ୍କ କାମକୁ ଲୋକେ ଆହୁରି ପ୍ରଶଂସା କରିବାରେ ଲାଗିଛନ୍ତି । ଏଠାରେ ଆମେ ଯେଉଁ ଯୁବକଙ୍କ କଥା କହୁଛୁ, ସେ ହେଉଛନ୍ତି ମହମ୍ମଦ ମେହବୁବ୍ ମଲିକ୍ୟ ମଲିକ୍ । ନିଜ ଆୟରୁ ୮୦ପ୍ରତିଶତ ଟଙ୍କା ପାଠ ପଢ଼ିବା ପାଇଁ ଟଙ୍କା ପାଉ ନ ଥିବା ପିଲାଙ୍କ ପଛରେ ସେ ଖର୍ଚ୍ଚ କରିଥାନ୍ତି । ଏବେ ସେ ପ୍ରାୟ ୪୦ଜଣ ପିଲାଙ୍କ ପଢ଼ା ଖର୍ଚ୍ଚ ଉଠାଉଥିବା ଜଣାପଡ଼ିଛି । ମଲିକଙ୍କ ଏଭଳି କାମ ତାଙ୍କୁ ସାରା ଦେଶରେ ପ୍ରଶଂସାର ପାତ୍ର କରିଛି ।
ମଲିକଙ୍କ କହିବା ମୁତାବକ, ଛୋଟ ବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ମୁଁ ସ୍କୁଲ ପାଠ୍ୟକ୍ରମ ସାରି ଘରେ ରହିଯାଇଥିଲି । ଯାହା ପରେ ମୁଁ ଚା’ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇବା ଆରମ୍ଭ କରିଥିଲି । ଆୟ କରିବା ଆରମ୍ଭ କରିବା ପରେ ମୋ ଭଳି ସମସ୍ୟାର ସାମ୍ନା ଯେମିତି ଆଉ କେହି ନ କରନ୍ତୁ, ସେ ନେଇ ମୁଁ ୨୦୧୭ରେ “ମା’ ତୁଝେ ସଲାମ ଫାଉଣ୍ଡେସନ୍’ ନାମରେ ଏକ ଏନଜିଓ ଖୋଲିଥିଲି । ଏବେ ପାଖାପାଖି ୪୦ଜଣ ପିଲାଙ୍କୁ ମୁଁ ପାଠ ପଢ଼ାଉଛି । ଏହା ସହ ପରୀକ୍ଷା ସମୟରେ ମୁଁ ପିଲାମାନଙ୍କୁ ମାଗଣାରେ ଚା’ ମଧ୍ୟ ପିଇବାକୁ ଦେଇଥାଏ । ଏହି କାମ କରି ମୋତେ ଖୁସି ଅନୁଭବ ହେବା ସହ ଆଗକୁ ମୁଁ ଆହୁରି ଅଧିକ ପିଲାଙ୍କୁ ପଢ଼ାଇବି ବୋଲି କହିଛନ୍ତି ମଲିକ୍ ।


