ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅନ୍ତର୍ଗତ ଡଅଁର ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ଦୀର୍ଘ ବର୍ଷ ଧରି ଭତ୍ତା ଟଙ୍କା ଉଠାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ଉଠିଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ୍ ପ୍ରଶାସନ ତତ୍ପର ହୋଇଛି। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆବଶ୍ୟକ ପଡ଼ିଲେ ଥାନାରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ବିଡ଼ିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି। ସରକାର ଗରିବ, ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ଜୀବନଜୀବିକାରେ ସହାୟତା ପାଇଁ ବିଭିନ୍ନ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରୁଛନ୍ତି। ନିୟମ ଅନୁଯାୟୀ, ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଭତ୍ତା ପ୍ରଦାନ ବନ୍ଦ ହେବା କଥା। କିନ୍ତୁ ଡଅଁର ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଥିବା ଅଭିଯୋଗ ହୋଇଛି। ଏପରିକି କେତେକ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ନାମରେ ଟିପଚିହ୍ନ ଦେଇ ଟଙ୍କା ଉଠାଯାଇଥିବା ମଧ୍ୟ ଜଣା ଯାଇଛି । ଅଭିଯୋଗ ଅନୁଯାୟୀ, ରାଧାନଗର ପାଟଣା ଗ୍ରାମର ସୁଶୀଳା ସାହାଣୀଙ୍କ ମୃତ୍ୟୁକୁ ୧୪ ମାସ ବିତିଥିଲେ ମଧ୍ୟ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ତାଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଇଥିବା କୁହାଯାଉଛି। ସେହିପରି ଡଅଁର ଗ୍ରାମର ଶଙ୍କିରି ଦାସ ୨୦୨୨ ମସିହାରେ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ନାମରେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଭତ୍ତା ଉଠାଣ ହୋଇଥିବା ଅଭିଯୋଗ ରହିଛି। ଏହାବ୍ୟତୀତ କନକଲତା ଓଝା ୨ବର୍ଷ ତଳୁ ମୃତ୍ୟୁ ବରଣ କରିଥିବା ବେଳେ କୌଶଲ୍ୟା ଜେନା ବର୍ଷେ ତଳେ ମୃତ୍ୟୁ ବରଣ କରିଛନ୍ତି। ମୂଳି ଜେନା ପାଞ୍ଚ ବର୍ଷ ତଳୁ ମୃତ୍ୟୁ ବରଣ କରିଥିବା ବେଳେ ସାବିତ୍ରୀ ଖୁଣ୍ଟିଆ ଚାରି ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି। ସେହିପରି ଲବଣି ସାହୁ ୨୦୨୧ ଜୁନ ୧୦ ତାରିଖରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଭତ୍ତା ଟଙ୍କା ଉଠା ଚାଲିଛି। ସେହିପରି ଲୋଚନ ଦେଓ, ରମ୍ଭାବତୀ ଦାଶ, ଅନାମ ବେହେରା, ସଖି ସେଠୀ, ହେମଲତା ପହି, ଘନଶ୍ୟାମ ଜେନାଙ୍କ ସମେତ ୪୦ରୁ ଉର୍ଦ୍ଧ ମଲା ଲୋକଙ୍କ ନାମରେ ଭତ୍ତା ଉଠାଣ ହୋଇ ହଡପ କରାଯାଉ ଥିଲା। ସୂଚନାନୁଯାୟୀ, ପଞ୍ଚାୟତର ସରପଞ୍ଚ ଆରତୀ ଜେନା ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କ୍ଷେତ୍ରବାସୀ ସିଂଙ୍କ ମିଳିତ ଜମାଖାତାକୁ ଭତ୍ତା ଟଙ୍କା ପଠାଯାଉଥିଲା । ଉଭୟ ବ୍ୟାଙ୍କରୁ ଟଙ୍କା ଉଠାଇ ହିତାଧିକାରୀଙ୍କୁ ବଣ୍ଟନ କରୁଥିବାରୁ ଏହି ଘଟଣାରେ ସମ୍ପୃକ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ତତ୍କାଳୀନ ପିଇଓ କ୍ଷେତ୍ରବାସୀ ସିଂଙ୍କ ମୃତ୍ୟୁ ପରେ ନୂତନ ପିଇଓ ଭାବେ ଅଜୟ ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଅକ୍ଟୋବର ମାସର ଭତ୍ତା ବଣ୍ଟନ ପାଇଁ ଘରକୁ ଘର ବୁଲିବା ସମୟରେ ୩୬ ଜଣ ହିତାଧିକାରୀଙ୍କ ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକା ବ୍ଲକ୍ କାର୍ଯ୍ୟାଳୟକୁ ପ୍ରଦାନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବ୍ଲକ୍ ପ୍ରଶାସନ ପକ୍ଷରୁ ଭତ୍ତା ବଣ୍ଟନ ସମ୍ପର୍କିତ ହିସାବ ଖାତା ଓ ଆବଶ୍ୟକ କାଗଜପତ୍ର ମଗାଯିବା ପରେ ତାହା ମିଳୁନଥିବା ଜଣାପଡ଼ିଛି। ସରପଞ୍ଚ ଓ ପୂର୍ବତନ ପିଇଓଙ୍କ ପାଖରେ ଏହି କାଗଜପତ୍ର ରହିଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବିଡ଼ିଓ କହିଛନ୍ତି। ଏତେ ସଂଖ୍ୟକ ମୃତ ହିତାଧିକାରୀଙ୍କ ନାମରେ ଦୀର୍ଘ ଦିନ ଧରି ଭତ୍ତା ଟଙ୍କା ଉଠାଯାଉଥିବା ଅଭିଯୋଗ ସତ୍ତ୍ୱେ ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗ କିପରି ଏହା ଜାଣିପାରିଲା ନାହିଁ, ତାହାକୁ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଏବେ ସମସ୍ତଙ୍କ ନଜର ପ୍ରଶାସନିକ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି। ଏ ସମ୍ପର୍କରେ ବିଡ଼ିଓ କହିଛନ୍ତି ଯେ କୌଣସି ଅନିୟମିତତା କୁ ବରଦାସ୍ତ କରାଯିବନି। ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଗ୍ରାମବାସୀ ମାନେ କହିଛନ୍ତି ଯେ ପୂର୍ବତନ ପିଇଓ କେବେ ଭତ୍ତା ବାଣ୍ଟିବା ଆମେ ଦେଖିନୁ, ସରପଞ୍ଚଙ୍କ ସ୍ୱାମୀ ସବୁବେଳେ ଭତ୍ତା ବାଣ୍ଟନ୍ତି ବୋଲି କହିଛନ୍ତି।


