ଆଇଆଇଟି ପକ୍ଷରୁ ମେଗା ରକ୍ତଦାନ ଶିବିର
ଜଟଣୀ (ଜୁଗାବ୍ଦ ନ୍ୟୁଜ୍): ଜଟଣୀସ୍ଥିତ କେନ୍ଦ୍ରୀୟ ଆଇଆଇଟି ସଂସ୍ଥାନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଜିମ୍ ଖାନା, ଆଇଆଇଟିର ଛାତ୍ର କଲ୍ୟାଣ ସମିତି ଓ ଓଡିଶା ରାଜ୍ୟ ମେଡିକାଲ ପରିଷଦ ପକ୍ଷରୁ ମିଳିତ ଭାବେ ଏହି ଶିବିର ଆୟୋଜନ କରିଥିଲେ । କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର କର୍ମଚାରୀ ଶିବିର ପରିଚାଳନା କରିଥିବା ବେଳେ ଆଇଆଇଟି ଛାତ୍ରଛାତ୍ରୀ ଏବଂ କର୍ମଚାରୀ ରକ୍ତଦାନ କରିଥିଲେ । ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର୍ ଆର୍.ଭି. ରାଜାକୁମାର ଶିବିର ଉଦ୍ଘାଟନ କରିଥିଲେ । ଆବଶ୍ୟକତା ସମୟରେ ଜୀବନ ବଞ୍ଚାଇବା, ଦେଶରେ ରକ୍ତର ଅଭାବକୁ ଦୂର କରିବା ଏବଂ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମାଜସେବା କ୍ଷେତ୍ରରେ ସମର୍ପିତ କରିବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୋଟ୍ ଦୁଇଶହ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଆଇଆଇଟି ଛାତ୍ର ବ୍ୟାପାର ବିଭାଗ ଡିନ୍ ପ୍ରଫେସର୍ ଭି.ଆର୍.ପେଡିରେଡି, ଛାତ୍ର ଜିମ୍ ଖାନା ବିଭାଗ ସଭାପତି ଡକ୍ଟର ଶଙ୍କର୍ଷଣ ମହାପାତ୍ର, ମେଡିକାଲ୍ ଅଫିସର୍ ଡକ୍ଟର ମନସୁର୍ ଅହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ ।