କାକଟପୁର ଓ ଅସ୍ତରଙ୍ଗକୁ ଆନ୍ଧ୍ର ଆମ୍ବ ଭରସା : ଦର ଖସୁନାହିଁ ;ଗ୍ରାହକ ଅସନ୍ତୁଷ୍ଟ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବଜାରରେ ବେଶ ସରଗରମ୍ ହୋଇଛି ଆମ୍ବ ବିକ୍ରି। ବାଇଗଣ ପଲ୍ଲେଇ, ପଣ୍ଡୁ ପଲ୍ଲୀ, ସୁନ୍ଦରୀ ଭଳି ଆମ୍ବର ଦର ଚଢା ରହିଛି। ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ରେ ଚାହିଦା ମୁତାବକ ଆମ୍ବ ଉପଲବ୍ଧ ନଥିବାରୁ ଦର ଖସୁନି। କେବଳ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଆମ୍ବ ହିଁ କାକଟପୁର ଓ ଅସ୍ତରଙ୍ଗ ବିକ୍ରି ହେଉଛି। ନିମାପଡା ଫଳଗୋଦାମ ରୁ ବ୍ୟବସାୟୀ ମାନେ ଆମ୍ବ କିଣି କାକଟପୁର ଓ ଅସ୍ତରଙ୍ଗ ବଜାରରେ ବିକ୍ରି କରୁଛନ୍ତି। ବାଇଗଣ ପଲ୍ଲେଇ ଗୋଦାମ ଦର କିଲୋ ପିଛା ୮୦ରୁ ୮୫ଟଙ୍କା, ପଣ୍ଡୁପଲ୍ଲୀ ୭୦, ସୁନ୍ଦରୀ ୧୦୦ଟଙ୍କା ରହିଛି। ଗୋଦାମ ରୁ ଆଣି ବ୍ୟବସାୟୀ ମାନେ ବାଇଗଣ ପଲ୍ଲେଇ ୧୦୦ରୁ ୧୨୦ଟଙ୍କା, ପଣ୍ଡୁପଲ୍ଲୀ ୧୧୦ଟଙ୍କା ରୁ ୧୫୦ଟଙ୍କାରେ ବିକ୍ରି କରୁଛନ୍ତି। ଦୁଇ ଦିନ ବ୍ୟବଧାନ ରେ ଗାଡି ଆସୁଛି। ତାହା ପୁଣି ଆନ୍ଧ୍ରପ୍ରଦେଶ ରୁ। ଆମ୍ବ ଗୁଡିକ ଆନ୍ଧ୍ର ପ୍ରଦେଶ ରୁ ଆସୁଥିବାରୁ ଦର ଉଚ୍ଚା ରହିଛି। ପୂର୍ବରୁ ମାର୍ଚ୍ଚ ଓ ଏପ୍ରିଲ ମାସ ବେଳକୁ କେରଳ, ମହାରାଷ୍ଟ୍ର, ହରୀୟାଣା, ଦିଲ୍ଲୀଓ ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ଅଧିକ ପରିମାଣରେ ଆମ୍ବ କାକଟପୁର ଆସୁଥିଲା। କିନ୍ତୁ ଚଳିତ ବର୍ଷ ଏ ସବୁ ଅଞ୍ଚଳରୁ ଆମ୍ବ ଗାଡି ଆସୁନାହିଁ। ଏଣୁ ବ୍ୟବସାୟୀ ମାନେ ଆନ୍ଧ୍ର ଉପରେ ଆମ୍ବ ପାଇଁ ଭରସା କରିଛନ୍ତି। ସେହିପରି କଞ୍ଚା ଦେଶୀ ଆମ୍ବ ବଜାର କୁ ଯାହା ଆସୁଛି ତାହା କେବଳ ଆଚାର ପାଇଁ ଉପଯୋଗୀ। ଏହାର ଦର କିଲୋ ପିଛା ୪୦ଟଙ୍କା ରହିଛି।ଆମ୍ବର ଉଚ୍ଚା ଦର ଯୋଗୁଁ ଲୋକେ ଏହାକୁ କିଣିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଦୁଇ ରୁ ତିନି କିଲୋ କିଣିବା ଜାଗାରେ ଏକ କିଲୋ ଆମ୍ବ କିଣିକି ଘରକୁ ନେଉଛନ୍ତି।ଏଣୁ ବେପାର ଠିକି ସେ ହେଉନାହିଁ। ଅନ୍ୟ ପକ୍ଷରେ ମେ ‘ଓ ଜୁନ ମାସ ତଥା ରଜ ଏବଂ ସାବିତ୍ରୀ ବେଳକୁ ବଜାରରେ ଅଧିକ ମାତ୍ରାରେ ଆମ୍ବ ବଜାରକୁ ଆସେ। କାରଣ ଏହି ସମୟରେ ରାଜ୍ୟର ବ୍ରହ୍ମପୁର, ଖୋର୍ଦ୍ଧା, ସମ୍ବଲପୁରଓ ଢେଙ୍କାନାଳ ଆଦି ଜିଲାରୁ ଦେଶୀ ଆମ୍ବ ଆସେ। ସେହିପରି ଆନ୍ଧ୍ର ଓ କେରଳ ରୁ ମଲ୍ଲୀକା, ଦୋସାରୀ, ଆମ୍ରପଲ୍ଲୀ, ତୋଟା ପଲ୍ଲୀ ଆଦି ଆମ୍ବ ମଧ୍ୟ ବିକ୍ରି ପାଇଁ କାକଟପୁର ଓ ଅସ୍ତରଙ୍ଗ ବଜାର କୁ ଆସିଥାଏ। ଏହି ସମୟରେ ଆମ୍ବର ଦର କମିବା ସହିତ ବେପାର ଭଲ ହୁଏ ବୋଲି ଅସ୍ତରଙ୍ଗ ଅଞ୍ଚଳ ଆମ୍ବ ବ୍ୟବସାୟୀ ଚୁନିଆ ବିଶ୍ୱାଳ କୁହନ୍ତି। ବ୍ୟବସାୟୀ କୁହନ୍ତି ଆମକୁ ଆନ୍ଧ୍ରରୁ ଆସୁଥିବା ଆମ୍ବ ଗାଡି ଉପରେ ନିର୍ଭର କରିବାକୁ ପଡୁଛି। ଗାଡି କଟକ ତାହା ପରେ ଅସ୍ତରଙ୍ଗ ପହଂଚିବାକୁ ତିନି ରୁ ଚାରି ଦିନ ଲାଗୁଛି। ଗରମରେ ଗାଡି ଭିତରେ ଥିବା ଆମ୍ବରୁ କିଛି ପଚିଯାଉଛି। ଆମ୍ବ ଦର ଉଚ୍ଚା ହେବାରୁ ଲୋକ ମାନେ ଆମ୍ବ ସେତେ ମାତ୍ରାରେ କିଣୁ ନାହାନ୍ତି। ଫଳରେ ଆଗ ପରି କାକଟପୁର ଓ ଅସ୍ତରଙ୍ଗ ରେ ଆମ୍ବ ବେପାର ହେଉନାହିଁ।


