ଆଇଟିଆଇ ପାଶ୍ୱର୍ ୩୦ ବସ୍ତି ପରିବାର ଉଚ୍ଛେଦ ହେଲେ

ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ଆଇଟିଆଇ ପଛପଟରେ ଥିବା ଅଙ୍ଗାରଗଡ଼ିଆ ପମ୍ପହାଉସ ପାଖ ବସ୍ତି ୩୦ପରିବାରକୁ ସୋମାବାର ଉଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସଦର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରିବାରମାନଙ୍କୁ ଉଚ୍ଛେଦ କରାଯାଇଥିଲା । ଏହି ପରିବାର ବେଆଇନ ଭାବେ ଦୀର୍ଘବର୍ଷ ଧରି ରହିଆସିଥିବା ବେଳେ ସେମାନଙ୍କର ଅନ୍ୟ ସ୍ଥାନରେ ଜମି ମଧ୍ୟ ରହିଛି । ଉଚ୍ଚ ନ୍ୟାୟଳୟଙ୍କ ରାୟ ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିନା ଥଇଥାନରେ ସେମାନଙ୍କୁ ଉଚ୍ଛେଦ କରାଯାଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଏହି ଉଚ୍ଛେଦକୁ ୩୦ ପରିବାର ବିରୋଧ କରିଥିବା ବେଳେ ୩ ପ୍ଲାଟୁନ ଫୋର୍ସ ଓ ସହଦେବଖୁଣ୍ଟା ଥାନା ପୁଲିସର ଉପସ୍ଥିତିରେ ସମସ୍ତ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା । ଅନ୍ୟପକ୍ଷରେ ମାତ୍ର ୨ ଦିନର ନୋଟିସ ପରେ ହଠାତ ପ୍ରଶାସନ ପକ୍ଷରୁ ଏଭଳି ଉଚ୍ଛେଦ ଦୁର୍ଭାଗ୍ୟଜନକ ବୋଲି କିଛି ଶ୍ରମିକନେତା ପ୍ରକାଶ କରିଥିଲେ । ଗତ ୨୦୨୧ ମାର୍ଚ୍ଚ ମାସରେ ଏହି ବସ୍ତିବାସିନ୍ଦାମାନେ ବାଲେଶ୍ୱର ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ୩୨ଦିନ ଅହୋରାତ୍ର ଗଣଧାରଣା ଦେଇଥିଲେ । ଭୂମିହୀନମାନଙ୍କୁ ସରକାରୀ ଜାଗା ଯୋଗାଇଦେବା ପରେ ଉଚ୍ଛେଦ କରାଯିବ ବୋଲି ଧାରଣାକାରୀଙ୍କୁ ସେତେବେଳେ ଜିଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ବାଲେଶ୍ୱର ସାଂସଦ ଓ ବିଧାୟକ ମଧ୍ୟ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସ୍ୱଳ୍ପ ସମୟ ମଧ୍ୟରେ ବିନା ଥଇଥାନରେ ଏହି ଉଚ୍ଛେଦ ଅସମ୍ବିଧାନିକ ବୋଲି ସେମାନେ ଆରୋପ କରିଥିଲେ । ଜିଲା ପ୍ରଶାସନର ଏହି ଅବିଚାର ତଥା ଅମାନବୀୟ କାର୍ଯ୍ୟକୁ ବସ୍ତିବାସିନ୍ଦା ସଂଘର ସଭାପତି ବେଣୁଧର ବାରିକ, ଉତ୍କଳ ମହିଳା ସମିତିର ସଭାନେତ୍ରୀ ବନ୍ଦନା ବିଶ୍ୱାସ ଓ ସାମାଜିକ କର୍ମୀ ତଥା ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ସିପିଆଇ ନେତା ଜୟନ୍ତ ଦାସ ଓ ଭିଟାମାଟି ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା ଦୃଢ଼ ନିନ୍ଦା କରିବା ସହ ଉଚ୍ଛେଦ ପରିବାରଙ୍କୁ ତୁରନ୍ତ ଥଇଥାନ ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ