ଆଇନ ସେବା ପ୍ରାଧିକରଣ ତରଫରୁ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଗାରାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାରଳା ଆଇନସେବା ପ୍ରାଧିକରଣର ସଚିବ ବିମଳ ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଗଣା ଆଇନସେବା ବିଷୟରେ ସଚେତନତା କରାଇବା ସହିତ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀ କିପରି ଅଧିକରୁ ଅଧିକ ନାମଲେଖା କରାଇବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଅନ୍ୟତମ ଅତିଥି ଭାବେ ଗୋଷାଣୀ ବିଡିଓ ଅଜୟ କୁମାର ପ୍ରଧାନ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ବିଷୟରେ ସଚେତନତା କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଇଓ ଟି କିଶୋର କୁମାର ଯୋଗ ଦେଇ ଶିକ୍ଷା ଅଧିକାର ଆଇନ ଏବଂ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥର ବିଦ୍ୟାଳୟକୁ ଫେରାଇ ଆଣିବା ନେଇ ସଚେତନ କରାଇଥିଲେ | ପଞ୍ଚାୟତ ସରପଞ୍ଚ ପି.ଅଶୋକ କୁମାର, ପିଇଓ ଅଶୋକ କୁମାର ପାତ୍ର, ନାଏବ ସରପଞ୍ଚ ଡି.ମାଧୁରୀ ପ୍ରମୁଖ ଯୋଗ ଦେଇ ନିଜନିଜର ମତବ୍ୟକ୍ତ କରିଥିଲେ ।


