ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ବୃକ୍ଷ ରୋପଣ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ଅବସରରେ ବିନୋବା ସ୍ମାରକ ଟ୍ରଷ୍ଟ ଏବଂ ସବୁଜ ଭାରତ ତରଫରୁ ନିଳାଦ୍ରୀ ବିହାରସ୍ଥିତ ନାରାୟଣୀ ବସ୍ତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାନ୍ଧିବାଦୀ ନେତା ପ୍ରହ୍ଲାଦ ସିଂ ଯୋଗ ଦେଇ ବିନୋବା ଭାବେଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥିଭାବେ ବିନୋବା ସ୍ମାରକ ଟ୍ରଷ୍ଟର ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ଯୋଗଦେଇ ବିନୋବା ଭାବେ ଭୂଦାନ ଆନ୍ଦୋଳନ ମାଧ୍ୟମରେ ବହୁ ଭୂମିହୀନ ଗରିବ, ଦଳିତ ଓ ଆଦିବାସୀଙ୍କୁ ଭୂମି ପ୍ରଦାନ କରି ସେମାନଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସବୁଜ ଭାରତର ଅଧ୍ୟକ୍ଷ ସତ୍ୟବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା ଏବଂ ଲୋକମାନଙ୍କୁ ମହାମାରୀ କରୋନା ବିଷୟରେ ସଚେତନତା କରାଯାଇ ମାସ୍କ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନିବାସ ଦାସ, ଜଗନ୍ନାଥ ସାହୁ, ଜିତୁ କୁମାର ସାହୁ, ବଳରାମ ବିଶୋଇ, ଅଚ୍ୟୁତ ଭୋଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।