ଆଜିଠାରୁ ଅଲାରନାଥ ଦର୍ଶନ: ପାରମାଣିକ ଟିକେଟ ନାହିଁ
ବ୍ରହ୍ମଗିରି (ଜୁଗାବ୍ଦ ନ୍ୟୁଜ୍): : ଆଜିଠାରୁୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ । ମଙ୍ଗଳବାର ସ୍ନାନପୂର୍ଣ୍ଣମୀରେ ୧୦୮ କଳସ ଜଳରେ ମହାସ୍ନାନ କରିବା ପରେ ଚତୁର୍ଦ୍ଧାମୃତ୍ତି ଅଣସରପିଣ୍ଡୀରେ ବିଜେ କରିବେ । ଏହି ସମୟରେ ୧୫ ଦିନ ଧରି ମହାପ୍ରଭୁ ଗୁପ୍ତସେବା ପାଇବା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମିଳିନଥାଏ । ଏନେଇ ବ୍ରହ୍ମଗିରିସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ପୀଠ ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର । ଏହି ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଆଜିଠାରୁ ୧୫ ଦିନ ଧରି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଚାଲିବ । ଏଠାରେ ମହାପ୍ରସାଦ ସମ ମହାପ୍ରସାଦ ଓ ଅଲାରନାଥଙ୍କ ପ୍ରସିଦ୍ଧ କ୍ଷୀରି ପ୍ରସାଦ ମିଳିବ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଥାନା ଆଇଆଇସି ମନଜ କୁମାର ଶତପଥି ଜଣାଇଛନ୍ତି । ଚଳିତ ବର୍ଷ ଭକ୍ତଙ୍କର ସୁବିଧା ଓ ସୁରକ୍ଷା ନିମନ୍ତେ ସିସି ଟିଭି କ୍ୟାମେରା ଖଞ୍ଜା ଯାଇଛି । ଭକ୍ତମାନେ ଧାଡିରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦର୍ଶନ ପାଇଁ ପାରମାଣିକ ଟିକେଟ ବ୍ୟବସ୍ଥାକୁ ଚଳିତ ବର୍ଷ ବନ୍ଦ କରିଦିଆଯାଇଛି । ଯାହା ଫଳରେ ଏବର୍ଷ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିବ । ଦୀପ, କଦଳୀପତ୍ର ଓ ଯାନବାହାନ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଅନବସର ୧୫ ଦିନ ପାଇଁ ମହାପ୍ରଭୁ ଅଲାରନାଥଙ୍କ ନୀତି ନିର୍ଘଣ୍ଟ ମଧ୍ୟ କରାଯାଇଛି । ମନ୍ଦିର ସେବାୟତ ନିଯୋଗ ତରଫରୁ ସୂଚନା ଅନୁଯାୟୀ ରାତି ୪ଟାରେ ଦ୍ୱାରଫିଟା, ୪.୧୫ ମିରେ ମଙ୍ଗଳ ଆଳତି, ସାଢ଼େ ୪ରେ ଅବକାଶ, ୫ଟାରେ ମହାପ୍ରଭୁଙ୍କ ବେଶ, ସାଢ଼େ ୫ରେ ବଲ୍ଲଭ ଧୂପ, ୬ଟାରେ ସର୍ବସାଧାରଣ ଦର୍ଶନ, ଅପରାହ୍ଣ ୨ଟାରେ ମଧ୍ୟାହ୍ନ ଧୂପ, ସାଢ଼େ ୨ରେ ପହଡ଼, ୨.୪୫ରେ ସର୍ବସାଧାରଣ ଦର୍ଶନ, ସଂଧ୍ୟା-୭.୧୦ରେ ସଂଧ୍ୟା ଆରତୀ, ୮ଟାରେ ମଇଲମ, ସାଢ଼େ ୮ରେ ସର୍ବସାଧାରଣ ଦର୍ଶନ, ୧୦.୨୦ରେ ସଂଧ୍ୟା ଧୂପ, ରାତି ୧୦.୫୦ରେ ବଡସିଂହାର ବେଶ, ୧୨ଟାରେ ଠାକୁରଙ୍କ ପହଡ଼ ପଡ଼ିବ ବୋଲି ଜଣାଯାଇଛି ।


