ଆଜି ପବିତ୍ର ରାମ ନବମୀ: କୋରୋନା ଯୋଗୁ ମହୋତ୍ସବ ଫିକା
ଭୁବନେଶ୍ୱର: ଆଜି ଚୈତ୍ର ଶୁକ୍ଳ ନବମୀ ତିଥି ବା ପବିତ୍ର ଶ୍ରୀରାମ ନବମୀ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ସବୁ ବର୍ଷ ରାମ ନବମୀ ବେଶ୍ ଧୁମ୍ଧାମରେ ସାରା ଦେଶରେ ପାଳନ ହୋଇଥାଏ। ଏଥର କିନ୍ତୁ ରାମ ନବମୀ ପୂରା ଫିକା ପଡ଼ିଛି। କୋରୋନା ବ୍ୟାପିବା ପରେ ସାରା ଦେଶରେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। ‘ରାମାୟଣ’ରେ ଶ୍ରୀରାମଙ୍କ ଜନ୍ମ ଲୀଳା ସମ୍ପର୍କରେ ବର୍ଣ୍ଣିତ ଅଛି। ରାମଙ୍କୁ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି କୁହାଯାଏ। ରାମ ନବମୀ ପାଇଁ ଉତ୍ତର ପ୍ରଦେଶ ଅଯୋଧ୍ୟାଠାରୁ ଆରମ୍ଭ କରି ସବୁ ବର୍ଷ ଚଳଚଞ୍ଚଳ ହୋଇଉଠେ। ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ଭୁବନେଶ୍ୱରରେ ରାମ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ। କିନ୍ତୁ ସାରା ଦେଶ ଓ ଓଡ଼ିଶା କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ କରାଯାଇଛି।
ବିଭିନ୍ନ ରାମ ମନ୍ଦିରରେ କେବଳ ଶ୍ରୀରାମଙ୍କ ଜନ୍ମତ୍ସୋବ ସହ ଜଡ଼ିତ କାର୍ଯ୍ୟକ୍ରମ କରାଯାଉଛି। ସେବାୟତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ହିଁ କାର୍ଯ୍ୟକ୍ରମ ହେଉଛି। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ ରହିଥିବାବେଳେ ଠାକୁରଙ୍କର କେବଳ ନୀତିକାନ୍ତି କରାଯାଉଛି। ତେଣୁ ପ୍ରତିବର୍ଷ ଧୂମ୍ଧାମ୍ରେ ପାଳିତ ହେଉଥିବା ରାମ ନବମୀ ଏଥର ରାଜଧାନୀରେ ନିରାଡ଼ମ୍ବରରେ କରାଯାଉଛି। ରାମ ମନ୍ଦିରରେ ଏଥର ଶୁଣିବାକୁ ମିଳିନି ଶ୍ରଦ୍ଧାଳୁଙ୍କ ଜୟ ଶ୍ରୀରାମ ଧ୍ୱନି। ପ୍ରତିବର୍ଷ ଭକ୍ତଙ୍କ ଗହଣରେ ଜନ୍ମଦିନ ପାଳୁଥିବା ପ୍ରଭୁ ଶ୍ରୀରାମ ଏଥର କେବଳ ପୂଜକଙ୍କ ସହ ନିଜ ଜନ୍ମଦିବସ ମନାଇବେ। ଅଯୋଧ୍ୟାରେ ବି ଫିକା ପଡ଼ିଛି ରାମ ଜନ୍ମୋତ୍ସବ। କେବଳ କିଛି ଲୋକଙ୍କୁ ନେଇ ଅତି ଆବଶ୍ୟକ ପଡ଼ୁଥିବା ଯଜ୍ଞ କରାଯାଉଛି।


