ବିତୁଛି ଦିନ ବଢୁଛି ଆତଙ୍କ ୯ମ ଦିନରେ ଲକଡାଉନ୍
ଗଜପତିର୧୪୯ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଲକଡାଉନ୍ ଆଜି ୯ମ ଦିନରେ ପହଞ୍ଚିଲା । ଦିନକୁ ଦିନ ବିତୁଛି ହେଲେ କରୋନା ଆତଙ୍କ କମିବା ବଦଳରେ ବଢିବାରେ ଲାଗିଛି । ଗଜପତି ଜିଲ୍ଲାରେ ଥିବା ସମସ୍ତ ୧୪୯ ଗୋଟି ଗ୍ରାମ ପଞ୍ଚାୟତରେ କରୋନାକୁ ମୁକାବିଲା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ କରାଯାଇଛି । ପାରଳାଖେମୁଣ୍ଡି ସହରରେ ଥିବା ଇନ୍ଷ୍ଟୁସିନାଲ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆଜି ସୁଦ୍ଧା ୨୩ଜଣଙ୍କୁ ରଖାଯାଇଥିବା ସୁଚନା ମିଳିଛି । ଜିଲ୍ଲାରେ ବର୍ତ୍ତମାନ ପୋଲିସ ବ୍ୟବସ୍ଥାକୁ କଠୋର କରାଯାଇଛି । ୨୪ଘଣ୍ଟିଆ ପୋଲିସ ପଇଁତରା ସହ ଲୋକଙ୍କୁ ସାମାଜିକ ଦୁରତା ବଜାଇ ରଖିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିନା କାରଣରେ ଲୋକେ ବାହାରକୁ ଆସିବାକୁ କଡାକଡି ଭାବେ ପୋଲିସ ବାରଣ କରୁଛନ୍ତି । ଗଜପତି ଜିଲ୍ଲାକୁ ବିଦେଶରୁ ୫୪ଜଣ ଏବଂ ବାହାର ରାଜ୍ୟରୁ ୪୩୫୧ ଜଣ ଗତକାଲି ବୁଧବାର ରାତ୍ର ସୁଦ୍ଧା ଫେରି ଆସିଛନ୍ତି ।ଏହି ସମସ୍ତଙ୍କୁ ସଂଙ୍ଘରୋଧ ଘରେ(ହୋମ୍କରେଣ୍ଟାଇନ୍)ରେ ରଖାଯାଇଛି । ଗଜପତି ଜିଲ୍ଲା ପ୍ରଶାସନ,ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ ସମସ୍ତଙ୍କର ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି । ଖବର ଲେଖିବା ସମୟ ସୁଦ୍ଧା ଗଜପତି ଜିଲ୍ଲାରେ ଜଣେ ହେଲେ କରୋନା ଚିହ୍ନଟ ରୋଗୀ ନ ଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିର୍ଦ୍ଧେଶ କ୍ରମେ ସାରା ଜିଲ୍ଲାରେ ଲକଡାଉନ୍କୁ କଡା କଡି ଭାବେ ପାଳନ କରାଯାଇଛି । ସାମାଜିକ ଦୁରତା ରକ୍ଷା କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଜପତି ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା, ମୋହନା, ଆର.ଉଦୟଗିରି, ନୁଆଗଡ, ଗୋଷାଣୀ, ଗୁମ୍ମା, ରାୟଗଡ, କାଶୀନଗର ଆଦି ଅଞ୍ଚଳରେ ପୋଲିସ ପଇଁତରା ବ୍ୟବସ୍ଥାକୁ ମଧ୍ୟ ଦ୍ୱିଗୁଣିତ କରାଯିବା ସହ ଲୋକଙ୍କ ଠାରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ।


