ଆଦିବାସୀଙ୍କ ଅଧିକାର ପାଇଁ ଏକତାବଦ୍ଧ ହେବାକୁ ବିଶ୍ଵ ଆଦିବାସୀ ଦିବସରେ ଆହ୍ଵାନ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ବିଶ୍ଵ ଆଦିବାସୀ ଦିବସ ଅବସରରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର ସଭା (AIKMS) ପକ୍ଷରୁ କାଶୀନଗର ବ୍ଳକର ସୁଙ୍କୁନପେଟା ଠାରେ ଆଦିବାସୀମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ନେତା କାରୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଉଭୟ ଗୁମ୍ମା ଓ କାଶୀନଗର ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ସମାବେଶ ପୂର୍ବରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସଂଗଠନର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର, ଜିଲ୍ଲା କମିଟି ସଦସ୍ୟ କାରୁଗା ଶବର,ବ୍ଳକ୍ କମିଟି ସଦସ୍ୟ ସୁଙ୍କା ଶବର ଓ ରଈତ କୁଲି ରଈତ ସଂଘର ନେତା ରକମ୍ ଲୋକନାଥମ୍ ପ୍ରମୁଖ ଯୋଗ ଦେଇଥିଲେ । ଆଦିବାସୀଙ୍କ ଇତିହାସ ହେଉଛି ସଂଘର୍ଷ, ବୀରତ୍ଵ ଓ ବଳିଦାନର ଇତିହାସ ବୋଲି ଅଭିହିତ କରିବା ସହ ଜମି, ଜଙ୍ଗଲ ଉପରେ ଅଧିକାର ପାଇଁ ତଥା ନିଜର ଭାଷା ଓ ସଂସ୍କୃତିର ବିକାଶ ପାଇଁ ସଂଗ୍ରାମ କରିବାକୁ ବକ୍ତାମାନେ ଡାକରା ଦେଇଥିଲେ । ଦେଶର ଜଙ୍ଗଲ ଉପରେ ନିର୍ଭରଶୀଳ ଦଶ କୋଟି ଆଦିବାସୀଙ୍କ ସମେତ ପ୍ରାୟ ୪୦ କୋଟି ଗରିବ ଲୋକଙ୍କୁ ଜଙ୍ଗଲ ଉପରେ ଅଧିକାର ଦେବାକୁ ଯେଉଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ତିଆରି ହୋଇଥିଲା, ତାକୁ କେନ୍ଦ୍ରର ମୋଦି ସରକାର ଦେଶୀ ବିଦେଶୀ ବଡ କମ୍ପାନୀଙ୍କ ସ୍ଵାର୍ଥରେ ଦୁର୍ବଳ ଓ ଅକାମୀ କରିବାକୁ ଷଡଯନ୍ତ୍ର କରୁଥିବା କଥା ବକ୍ତାମାନେ ଅଭିଯୋଗ କରିଥିଲେ । ନିକଟରେ ସରକାର ଜଙ୍ଗଲ ସଂରକ୍ଷଣ ଆଇନ- ୧୯୮୦ର ନିୟମାବଳୀରେ ଯେଉଁ ସଂଶୋଧନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ତାହା ଆଦିବାସୀଙ୍କ ଜଙ୍ଗଲ ଅଧିକାର ଓ ଗ୍ରାମସଭାର ଅଧିକାରକୁ ଦୁର୍ବଳ କରିବା ସହ ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ଜମିକୁ କର୍ପୋରେଟଙ୍କ ହାତକୁ ଟେକିଦେବାକୁ ଯାଉଛି ବୋଲି କହିଥିଲେ । ରାଜ୍ୟର ଏକ ଚତୁର୍ଥାଂଶ ଜନତା ଆଦିବାସୀ ହୋଇଥିଲା ବେଳେ ସରକାରଙ୍କ ଅବହେଳା ଓ ସମ୍ଵେଦନହୀନତା ଲାଗି ସେମାନଙ୍କ ଭାଷା, ଲିପି, ସାହିତ୍ୟ ଓ ସଂସ୍କୃତିର ବିକାଶ ହୋଇପାରୁନାହିଁ ବୋଲି ଅଭିଯୋଗ କରାଯାଇଥିଲା । ଶେଷରେ ଆଦିବାସୀମାନେ ନିଜର ଅଧିକାର ଉପରେ ହେଉଥିବା ଆକ୍ରମଣ ବିରୋଧରେ ସଂଗ୍ରାମ କରିବାକୁ ତଥା ଧର୍ମ ନାମରେ ଭାଗଭାଗ ନହୋଇ ଏକତାବଦ୍ଧ ରହିବାକୁ।ଡାକରା ଦିଆଯାଇଥିଲା । ସଂଗଠନର ବ୍ଳକ୍ କମିଟି ସମ୍ପାଦକ ସମ୍ଵ୍ରା ଶବର ଧନ୍ୟବାଦ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ