ବିଦ୍ୟୁତ ଆଘାତରେ ଯୁବକ ମୃତ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଗୁଜୁରାଟର ସୁରଟସ୍ଥିତ ଏକ ସୁତାକଳରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ଖବର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ସନ୍ୟାସପୁର ଗାଁର ତ୍ରିଲେଖଙ୍କ ଘର। ଘରର ଏକମାତ୍ର ରୋଜଗାରିଆ ପୁଅ ତ୍ରିଲେଖ ବେହେରା(୪୨)ଙ୍କ ଗୁଜୁରାଟର ସୁରଟରେ ଏକ ଲୁଗା କାରଖାନାରେ କାମ କରୁଥିବା ବେଳେ ମୃତ୍ୟୁ ହୋଇଯାଇଛି। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ସନ୍ନ୍ୟାସପୁର ଗାଁର ଏହି ଘଟଣା। ଏହି ଗାଁର ତ୍ରିଲେଖ ଦୀର୍ଘ ୨୬ ବର୍ଷ ଧରି ସୁରଟର ଏକ ଲୁଗା ତିଆରି କାରଖାନାରେ କାମ କରୁଥିଲେ। ଗାଁରେ ବୁଢି ମା, ପତ୍ନୀ ଓ ଦୁଇ ଝିଅ। ଆଜି ସକାଳୁ ହଠାତ୍ ତ୍ରିଲେଖଙ୍କ ମୃତ୍ୟୁ ଖବର ପାଇଲେ ପରିବାର ଲୋକେ। ୧୪ ତାରିଖ ରାତିରେ କାରଖାନାରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା କୁହାଯାଉଛି। କିନ୍ତୁ ଏହି ଘଟଣାକୁ ଚାପି ଦେବା ସହିତ ତ୍ରିଲେଖଙ୍କୁ କୌଣସି କ୍ଷତିପୂରଣ ନଦେବା ପାଇଁ ଚାହୁଁଛନ୍ତି ସମ୍ପୃକ୍ତ କାରଖାନାର ମାଲିକ। ସେଠାରେ ରହୁଥିବା ଓଡିଆ ଶ୍ରମିକମାନେ ଏହାର ପ୍ରତିବାଦ କରିବାରୁ ପରିସ୍ଥିତି ଅଣାୟତ ହୋଇ ପଡିଛି। କାରଖାନାରେ ଶବ ରଖି ଶ୍ରମିକମାନେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। କେବଳ ସେତିକି ନୁହେଁ ତ୍ରିଲେଖଙ୍କ ଶବ ତାଙ୍କ ଗ୍ରାମରେ ପହଁଚାଇବାର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି। ତ୍ରିଲେଖ ସୁରଟ ସହରର କ୍ରୀଷ୍ଣାନଗର ଅଞ୍ଚଳର ଜଲାରାମ ସୋସାଇଟିରେ ରହୁଥିଲେ। ଗତ ବର୍ଷକ ପୂର୍ବେ ତାଙ୍କ ବାପା ଚୈତନ୍ୟ ବେହେରାଙ୍କର ମୃତ୍ୟୁ ହୋଇଯାଇଥିଲା। ବୁଢ଼ି ମା’ ମଞ୍ଜୁଲତା କର୍କଟ ରୋଗରେ ପୀଡିତା ହୋଇଥିବା ବେଳେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନାହିଁ। ତ୍ରିଲେଖଙ୍କର ୧୦ ବର୍ଷ ଏବଂ ୩ ବର୍ଷର ଦୁଇଟି ଝିଅ ଅଛନ୍ତି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଗତ ମାର୍ଚ୍ଚ ମାସରେ ଗାଁରେ ବାପାଙ୍କ ବର୍ଷିକିଆ କାମ ସାରି ସେ ସୁରଟ ଫେରି ଯାଇଥିଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଦେହାନ୍ତ ପରେ ଏବେ ପରିବାର ଚଳିବ କେମିତି ସେ ନେଇ ଚିନ୍ତାରେ ପଡିଯାଇଛନ୍ତି ତାଙ୍କ ପତ୍ନୀ। କୁନିକୁନି ଦୁଇ ଝିଅ, ବିଧବା ପତ୍ନୀ ଓ ବୃଦ୍ଧା ମା’ ମୁହଁରେ ଦାନା ମୁଠେ ଦେବା ପାଇଁ କେହି ନାହିଁ। ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏହି ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ତ୍ରିଲେଖଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ତାଙ୍କ ମରଶରୀରକୁ ଗ୍ରାମକୁ ଫେରାଇ ଆଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି। ସୁଦୂର ସୁରଟ ସହରରେ ରହି କାମ କରୁଥିଲେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସନ୍ନ୍ୟାସପୁର ଗାଁର ଯୁବକ ତ୍ରିଲେଖ ବେହେରାଙ୍କ ଅପ୍ରେଲ ୧୪ ତାରିଖ ରାତିରେ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଘଟଣା ଘଟିବା ପରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି କ୍ଷତିପୂରଣ ନଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେବାକୁ ବସିଛନ୍ତି। ଏହାର ପ୍ରତିବାଦରେ ମରଶରୀରକୁ ରଖି କାରଖାନା ଆଗରେ ଧାରଣାରେ ବସିଛନ୍ତି କେତେକ ଓଡିଆ ଶ୍ରମିକ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ତ୍ରିଲେଖଙ୍କ ମୃତ୍ୟୁ ପରେ ନିରାଶ୍ରୟ ହୋଇ ପଡିଛି ତାଙ୍କ ଅଭାବି ପରିବାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ