ଆନ୍ଧ୍ରରେ ଓଡିଆ ଭାଷାର ସୁରକ୍ଷା ପାଇଁ ପ୍ରୟାସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଆନ୍ଦ୍ରରେ ରହୁଥିବା ଓଡିଆ ଭାଷାଭାଷୀମାନେ ଓଡିଆ ଭାଷାକୁ ସୁରକ୍ଷା ଦେବା ପାଇଁ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି । ପାରଳାଖେମୁଣ୍ଡି ସହରର ସୀମାନ୍ତରେ ଥିବା ଆନ୍ଧ୍ରର ନାରସନ୍ଧ୍ରା ଗ୍ରାମରେ ଓଡିଆ ସଂକୀର୍ତ୍ତନର ଆୟୋଜନ କରାଯାଇ ଓଡିଆ ଭାଷାଭାଷୀ ଲୋକମାନେ ଏକତ୍ରୀତ ହୋଇଛନ୍ତି । ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ହୋଇଥିବା ବେଳେ ବିଶେଷ କରି ପାରଳାଖେମୁଣ୍ଡି ସହର, ଗୋଷାଣୀ-ରାୟଗଡ-କାଶୀନଗର ବ୍ଲକାଞ୍ଚଳର ତଟବର୍ତ୍ତୀରେ ରହିଛି ଆନ୍ଧ୍ର ପ୍ରଦେଶ । ଜିଲ୍ଲାରେ ବିଭିନ୍ନ ସମୟରେ ଓଡିଶା-ଆନ୍ଧ୍ର ମଧ୍ୟରେ ବିଭିନ୍ନ ବିବାଦ ଲାଗି ରହିଛି । ବାଲି ଠାରୁ ଆରମ୍ଭ କରି ପାଣି, ଜମି, ଗ୍ରାମ ତଥା ସ୍ଥାନ ଆଦିକୁ ନେଇ ଲାଗିରହିଛି ଛକାପଞ୍ଝା । ତେବେ ଏ ସବୁ ଭିତରେ ଆଜିବି ସୀମାନ୍ତ ତଟବର୍ତ୍ତୀ ଗ୍ରାମାଞ୍ଚଳରେ ଓଡିଆ ହରିନାମ ସଂକୀର୍ତ୍ତନ ଶୁଭୁଛି । ରାଜନୈତିକ ତଥା ଭୈଗଳିକ ଦୃଷ୍ଟି କୋଣରେ ଓଡିଶା-ଆନ୍ଧ୍ର ସୀମାରେଖା ଓ ଦ୍ୱିଭାଷା ତଥା ଓଡିଆ-ତେଲୁଗୁ ସଂପ୍ରଦାୟର ଲୋକେ ରହୁଥିଲେ ହେଁ ଓଡିଆଭାଷା ପ୍ରିତି ଲିଭି ନାହିଁ ଏହି ଦ୍ୱିଭାଷୀ ଅଞ୍ଚଳରେ । ଏପରି ଏକ ଆନ୍ଧ୍ରର ଗ୍ରାମ ରହିଛି ଗଜପତି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୬କିମି ଦୂର ତଥା ଓଡିଶା ସୀମା ଠାରୁ ମାତ୍ର ୧କିମି ଦୂରରେ ଅବସ୍ଥିତ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ମଣ୍ଡଳ ଅନ୍ତର୍ଗତ ନାରସନ୍ଧ୍ରା ଗ୍ରାମ । ଦୀର୍ଘ ୬୫ ବର୍ଷ ହେଲା ହରିନାମ ସଂକୀର୍ତ୍ତନ ଦଳ ଏଠାରେ ବିଭିନ୍ନ ଓଡିଆ ପର୍ବପର୍ବାଣୀରେ ଓଡିଶା ରୀତି ଓ ସଂସ୍କୃତିର ଗାଥା ଗାଉଥିବାର ଦେଖିବାକୁ ମିଳିଛି । ଏହି ନାରସନ୍ଧ୍ରା ଗ୍ରାମରେ ରାଧାକୃଷ୍ଣ ନାଟ୍ୟ ସଂଘ ଦ୍ୱାରା ଏହା ପରିବେଶଣ ହୋଇଥାଏ । ବିଶେଷ କରି ହରେକୃଷ୍ଣ ମହାମନ୍ତ୍ର ସମେତ ଭଜନ କୀର୍ତ୍ତନ କରିଥାନ୍ତି । ଏହା ତତ୍କାଳୀନ ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ରାଜତ୍ୱ କାଳରେ ପ୍ରେରଣାରେ ଗଠନ ହୋଇଥିବାର ଏହି ନାଟ୍ୟ ସଂଘର ସଦସ୍ୟମାନେ ଜଣାଇଛନ୍ତି । ଏଥିରେ ନାରସନ୍ଧ୍ରା ଗ୍ରାମବାସୀ ମୂରଲି ମଲିକ, କୃଷ୍ଣଚନ୍ଦ୍ର ସାମଲ ବାଦ୍ୟକାର ମୂରଲି ପ୍ରଧାନ, ନବୀନ ସାମଲ, ଗଙ୍ଗାଧର ସାମଲ, ମୋହନ ଖୁଣ୍ଟିଆ ପ୍ରମୁଖଙ୍କ ତାଳେ ତାଳେ ଏହି ସଂକୀର୍ତ୍ତନ ଚାଲୁ ରହିଥିବା ବେଳେ ଯୁବ ସାମ୍ବାଦିକ ରମେଶ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ତେବେ ସୀମାନ୍ତରେ ଏହି ଗ୍ରାମର ନାଟ୍ୟ ସଂଘ ସମେତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗୀ ଅନ୍ତର୍ଗତ ଶ୍ରୀରାମପୁରର ଶ୍ରୀଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳୀ ଓ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁର୍ଲୁଣ୍ଡା ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ଏପରି ବିଭିନ୍ନ ଓଡିଆ ସଂକୀର୍ତ୍ତନ ଭଜନ ଆଦି କରିଆସୁଛନ୍ତି । ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳିର ବାହକ କୃଷ୍ଣ ପ୍ରଧାନ, ତ୍ରିନାଥ ପ୍ରଧାନ, ଗାୟକ ଯୁଦ୍ଧିଷ୍ଟିର ପ୍ରଧାନ, ଭାସ୍କର ସେଠୀ, ସହଯୋଗୀ ନରସିଂହ ବେହେରା, ସୋମାନାଥ ପ୍ରଧାନ, ଜୟଦେବ ପ୍ରଧାନ, କୃତ୍ତିବାସ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ମାନେ ବିଭିନ୍ନ ସୀମାନ୍ତ ଗ୍ରାମ ଠାରେ ଏପରି ଓଡିଆ ସଂକୀର୍ତ୍ତନ, ଭଜନ ଆଦି ଗାନ କରିଥାନ୍ତି । ବିଶେଷ କରି ପବିତ୍ର କାର୍ତ୍ତିକ ମାସରେ ଏପରି ସୀମାନ୍ତ ତଟବର୍ତ୍ତୀ ଗ୍ରାମରେ ଆୟୋଜକଙ୍କ ନିମନ୍ତ୍ରଣ ପାଇ ପରିବେଶଣ କରିଥାନ୍ତି । ‘ଲଙ୍କାରେ ରାମନାମ’ ଶବ୍ଦ ଉଚାହରଣ ପରି ଆନ୍ଧ୍ରରେ ଓଡିଆ ଭାଷାରେ ହରିନାମ କୀର୍ତ୍ତନ ଶୁଣି ନିଜ ନିଜକୁ ଧନ୍ୟମନେ କରନ୍ତି ଓଡିଶା ଅଞ୍ଚଳବାସୀ ।


