ଆନ୍ଧ୍ରର ପୁଣି ଦାଦାଗିରି, କୋଟିଆରେ ତେଲୁଗୁ ଭାଷାରେ ବୋର୍ଡ଼ ଲଗାଇବାକୁ ସମାଜବାଦୀ ପାର୍ଟିର ନିନ୍ଦା

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ପୁଣି ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜରେ ନିଜର ଦାଦାଗିରି ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ସରକାରୀ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଏବେ ଆନ୍ଧ୍ର ସରକାର ଓଡ଼ିଆ ଭାଷା ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି । ବାତ୍ୟା ଗୁଲାବର ସୁଯୋଗ ନେଇ କୋଟିଆ ଗ୍ରାମପୁଞ୍ଜର ଫାଟୁସିନେରୀ ଓ ଫଗୁସିନେରୀ ଅଞ୍ଚଳରେ ଆନ୍ଧ୍ର ସରକାର ତେଲୁଗୁ ଭାଷାରେ ବୋର୍ଡ଼ ଲଗାଇବା ଆରମ୍ଭ କରିଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା ସରକାରଙ୍କ ପକ୍ଷରୁ ଗତମାସରେ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଗ୍ରାମପୁଞ୍ଜର ସବୁ ଗାଁରେ ଓଡ଼ିଆଭାଷାରେ ବୋର୍ଡ଼ ମାରିଥିଲେ । ଓଡ଼ିଆ ବୋର୍ଡ଼କୁ ଘୁଞ୍ଚାଇବାର ଦୁଃସାହସ କରିନପାରି ଆନ୍ଧ୍ର ପ୍ରଶାସନ ପକ୍ଷରୁ ତେଲୁଗୁ ଭାଷାରେ ଏହି ଦୁଇ ପଞ୍ଚାୟତରେ ଫାଟୁସିନେରୀ ଓ ଫଗୁସିନେରୀରେ ତେଲୁଗୁ ଭାଷାରେ ଯେଉଁ ବୋର୍ଡ଼ ଲଗାଯାଇଛି ଏହା ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ତଥା ଓଡ଼ିଶାର ଭୌଗୋଳିକ ସ୍ୱାତନ୍ତ୍ର‌୍ୟ ଓ ସ୍ୱାଭିମାନ ଉପରେ ଚରମ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି । ତୁରନ୍ତ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ପାଖରେ ଏହାର ପ୍ରତିବାଦ କରିବା ସହିତ ତେଲୁଗୁ ଭାଷାରେ ମରା ଯାଇଥିବା ଏହି ବୋର୍ଡ଼କୁ ହଟାଇ ନେବା ପାଇଁ ପତ୍ର ଲେଖିବା ଉଚିତ । ଯଦି ଆନ୍ଧ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଓଡ଼ିଶା ସରକାର ଏହି ବୋର୍ଡ଼ଗୁଡ଼ିକୁ ବାହାର କରିଦେଇ ସେଠାରେ ଓଡ଼ିଆରେ ବୋର୍ଡ଼ ମାରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ