ଆମ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ
ଆଜି ମଧ୍ୟ ଆମ ସମାଜରେ ଏପରି ଅନେକ ଅଛନ୍ତି ଯେଉଁମାନେ ଝିଅମାନଙ୍କ ଶିକ୍ଷା ସପକ୍ଷରେ ନୁହଁନ୍ତି । କିନ୍ତୁ ପ୍ରାୟ ୧୭୦ ବର୍ଷ ପୂର୍ବେ (୧୮୪୮ ମସିହାରେ) ବାଳିକା ଏବଂ ବିଶେଷକରି ଦଳିତ ଶ୍ରେଣୀର ବାଳିକାଙ୍କ ଶିକ୍ଷା ନିମନ୍ତେ ଗୋଟିଏ ଦମ୍ପତି ପୁନେର ଭିଡେୱାଡା, ନାରାୟଣ ପୀଠରେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେମାନେ ହେଉଛନ୍ତି ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେ (ସଂକ୍ଷେପରେ ମହାତ୍ମା ଫୁଲେ) ଏବଂ ତାଙ୍କ ପତ୍ନୀ ସାବିତ୍ରୀବାଈ ଫୁଲେ । ପ୍ରଥମ ଦିନ ବିଦ୍ୟାଳୟରେ ୮ ଜଣ ବାଳିକା ନାମ ଲେଖାଇଥିଲେ । ସାବିତ୍ରୀବାଈ ଥିଲେ ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀ । ୧୮୫୧ ସୁଦ୍ଧା ଆହୁରି ଦୁଇଟି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଏବଂ ସମୂଦାୟ ଛାତ୍ରୀ ସଂଖ୍ୟା ଥିଲା ୧୫୧ । ଶିକ୍ଷା ପ୍ରତି ଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସେମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସହିତ ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରୁଥିଲେ ।


